ପୁରୀ (ଏଟିଆର ବ୍ୟୁରୋ): ଆଉ ମାତ୍ର ଗୋଟାଏ ଦିନ ପରେ ଆରମ୍ଭ ହୋଇଯିବ ଧାର୍ମିକ ମାସ କାର୍ତ୍ତିକ । କରୋନା କଟକଣା ପାଇଁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିନଥିବା ବେଳେ କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ପାଇବାର ବ୍ୟବସ୍ଥା କରାଯିବ । ହବିଷ୍ୟାଳି ଏବଂ ଶ୍ରଦ୍ଧାଳୁ ସହଜରେ ପାଇପାରିବେ ମହାପ୍ରସାଦ । ସେଥିପାଇଁ ଶ୍ରୀମନ୍ଦିରର ଦକ୍ଷିଣ ଏବଂ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଭକ୍ତମାନେ ଯେପରି ସହଜରେ ମହାପ୍ରସାଦ ପାଇପାରିବେ ସେଥିଲାଗି ବିଶେଷ କାଉଣ୍ଟର କରାଯିବ ଏବଂ ଏଠାରେ ମହାପ୍ରସାଦ ବିକ୍ରି କରାଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।
ତାଙ୍କ କହିବାନୁଯାୟୀ, ମହାପ୍ରସାଦର ଏକ ବଡ କାଉଣ୍ଟର ଉତ୍ତର ଦ୍ୱାରରେ କରାଯିବ । ଏହାସହିତ ସାମାଜିକ ଦୂରତା ଅବଲମ୍ବନ କରି ଲୋକେ କିପରି ମହାପ୍ରସାଦ ନେଇ ପାରିବେ ସେଲାଗି ବ୍ୟବସ୍ଥା କରାଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ, ସୁଆର-ମହାସୁଆର ନିଯୋଗ ସହ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି ।