ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଥିବା ୧୨ ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ କେଦାରନାଥ ଧାମ ଅନ୍ୟତମ । ତୁଷାରପାତ ମଧ୍ୟରେ ଶୀତକାଳ ପାଇଁ ଆଜି ସକାଳୁ ବିଧି ବିଧାନ ସହ ମନ୍ଦିରର ଦ୍ୱାର ବନ୍ଦ କରିଦିଆଯାଇଛି । ଏହି ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ, କ୍ୟାବିନେଟ ମନ୍ତ୍ରୀ ମଦନ କୌଶିକ, ରାଜ୍ୟମନ୍ତ୍ରୀ ଧନ ସିଂହ ରାୱତ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ସକାଳୁ ବିଧି ବିଧାନ ସହ ଗର୍ଭ ଗୃହର ଦ୍ୱାର ବନ୍ଦ କରିଦିଆଯାଇଛି । ଏହି ଅବସରରେ ଗର୍ଭଗୃହର ଦ୍ୱାର ବନ୍ଦ ହୋଇଯାଇଛି କିନ୍ତୁ ଲଗାତର ଭାବେ ତୁଷାରପାତ ଯୋଗୁଁ ମନ୍ଦିରର ଦ୍ୱାର ଏବଂ ଡୋଲି ପ୍ରସ୍ଥାନରେ ବିଳମ୍ବ ହୋଇଛି ।
ଭାଇଦୁଜ୍ ପର୍ବର ପବିତ୍ର ଅବସରରେ ଆଜି ରାତି ୨ଟାରୁ କେଦାରନାଥରେ ବିଶେଷ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଥିଲା । ମନ୍ଦିରର ମୁଖ୍ୟ ପୂଜାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ଭୋର ୪ଟାରେ ଭୋଗମୂର୍ତ୍ତି ଚଳିତ ବିଗ୍ରହଙ୍କୁ ଡୋଲିରେ ବିରାଜମାନ କରି ଭକ୍ତଙ୍କ ଦର୍ଶନାର୍ଥେ ମନ୍ଦିର ପରିସରରେ ରଖିଦିଆଯାଇଛି । ଏହାସହିତ ଅନ୍ୟ ଧାର୍ମିକ ଔପଚାରିକତାକୁ ପୁରା କରି ଭୋର ସାଢେ ୫ଟାରେ ମନ୍ଦିରର ଗର୍ଭଗୃହ ଦ୍ୱାର ବନ୍ଦ କରିଦିଆଯାଇଛି ।