ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶର ନେତାଙ୍କ ମଧ୍ୟରେ କରୋନା ଭାଇରସଠୁ ନେଇ ଜଳବାୟୁ ପରିବର୍ତ୍ତନ ପର୍ଯ୍ୟନ୍ତ ବିଭିନ୍ନ ଦ୍ୱିପାକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହାସହିତ ଦୁଇ ଦେଶ ମଧ୍ୟରେ ରଣନୀତିକ ଦ୍ୱିପାକ୍ଷୀୟ ସହଭାଗିତାକୁ ବଳବତ୍ତର ରଖିବା ପାଇଁ ଉଭୟ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି । ଏହି ସମୟରେ ବାଇଡେନଙ୍କୁ ଚୀନ ବିରୋଧରେ ଭାରତ-ପ୍ରଶାନ୍ତ ମହାସାଗରରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆପୋଷ ସହଯୋଗକୁ ମନେପକାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେପଟେ ବାଇଡେନ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଆଶ୍ୱସନା ଦେଇଛନ୍ତି ।
ଆମେରିକାରେ ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନରେ ବାଇଡେନ ବାଜି ମାରିବା ପରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଆଲୋଚନା ହୋଇଛି ।
ମୋଦି କହିଛନ୍ତି କି, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଜୋ ବାଇଡେନଙ୍କୁ ଫୋନ କରି ତାଙ୍କୁ ଶୁଭେଚ୍ଛା ଜଣାଇଲି ।ଏହାସହିତ ଭାରତ-ଆମେରିକା ରଣନୀତିକ ସହଭାଗିତା ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଲି ଏବଂ କୋଭିଡ୧୯, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ଆଲୋଚନା କଲି ।