ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପୋଲିସକୁ ଜଗିବ ସିସିଟିଭି । କଟକ ହେଉ କି ଭୁବନେଶ୍ୱର ପୁରୀ ହେଉ କି ପିପିଲି ହେଉ ଅବା ତାମିଲନାଡ଼ୁ ହେଉ ।ହାଜତରେ ଘଟୁଥିବା ମୃତ୍ୟୁକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।ଦେଶର ସବୁ ପୋଲିସ ଷ୍ଟେସନ,ସିବିଆଇ , ଏନଆଇଏ,ଏନସିବି ଓ ଇଡ଼ି ସେମାନଙ୍କ ପଚରାଉଚରା ରୁମ ଓ ହାଜତରେ ଲାଗିବ ସିସିଟିଭି କ୍ୟାମେରା ଓ ଅଡ଼ିଓ ରେକର୍ଡ଼ ।
ଅଧିକାରୀଙ୍କ ହେପାଜତରେ ଦିନକୁ ଦିନ ଅଭିଯୁକ୍ତଙ୍କ ଉପରେ ନିର୍ଯାତନ ବଢୁଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛି ସୁପ୍ରିମକୋର୍ଟ ।ସିସିଟିଭି କ୍ୟାମେରା ଏପରି ସ୍ଥାନରେ ଲଗାଯିବ ଯେପରିକି ଏଥିରେ ହାଜତ ଠାରୁ ଆରମ୍ଭ କରି ପଚରାଉଚରା ,ପ୍ରବେଶ ଓ ପ୍ରସ୍ଥାନର ରାସ୍ତା ଦୃଶ୍ୟମାନ ହେଉଥିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
କ୍ୟାମେରା ଗୁଡ଼ିକ ପୋଲିସ ଷ୍ଟେସନକୁ ପ୍ରବେଶ ,ପ୍ରସ୍ଥାନ ,ହାଜତ କରିଡ଼ର , ଲବି ଓ ରିସେପସନ ଅଞ୍ଚଳରେ ଲଗାଯିବ ।ଏହା ସହ ସବ ଇନସପେକ୍ଟର ଓ ଇନସପେକ୍ଟର ଙ୍କ ରୁମ ରେ ମଧ୍ୟ ଅଡ଼ିଓ ରେକର୍ଡ଼ର ସହ ସିସିଟିଭି ଲଗାଯିବ ।୧୮ ମାସ ପର୍ଯ୍ୟନ୍ତ ଏହି ସିସିଟିଭି ଫୁଟେଜକୁ ସଂଗ୍ରହ କରି ରଖାଯିବ ।
ରାଜ୍ୟଗୁଡ଼ିକ ଆସନ୍ତା ୬ ମାସ ମଧ୍ୟ ରେ କେବେ ଏହି ସବୁ କାମ ସମ୍ପୂର୍ଣ୍ଣ କରିବେ ଓ ଏଥିପାଇଁ କଣ କଣ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି ତାର ରିପୋର୍ଟ ଦାଖଲ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।