ପୁରୀ(ଏଟିଆର ବ୍ୟୁରୋ):ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥୀରେ ଦେବ ଦୀପାବଳି ଆରମ୍ଭ ହୋଇଥାଏ ।ଏହି ଦୀପାବଳି ୩ ଦିନ ଧରି ପାଳନ କରାଯାଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି,ଏହି ଦିନ ମହାପ୍ରଭୁ ତାଙ୍କର ପିତୃପୂରୁଷଙ୍କୁ ପିଣ୍ଡଦାନ ଦେବା ସହ ଦୀପ ଦାନ ମଧ୍ୟ କରିଥାନ୍ତି ।
ହିନ୍ଦୁମାନେ କାର୍ତ୍ତିକ ମାସ ଅମାବାସ୍ୟା ବା ଦୀପାବଳୀ ଦିନ ତାଙ୍କର ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ସହ ଦୀପଦାନ କରିଥାନ୍ତି,ଠିକ ସେହିପରି ପ୍ରଭୁ ଶ୍ରୀ ଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ନନ୍ଦ ଓ ବସୁଦେବଙ୍କ ସମେତ ଇନ୍ଦୁଦ୍ର୍ୟୁମ୍ନଙ୍କ ପାଇଁ ଦୀପଦାନ ବା ପିଣ୍ଡଦାନ କରିଥାନ୍ତି ।
ଏହି ଅବସରରେ ପ୍ରଭୁ ଶ୍ରୀ ଜଗନ୍ନାଥ କାଶ ଧଡିଆ ବସ୍ତ୍ର ପିନ୍ଧି ଶ୍ରାଦ୍ଧବେଶରେ ସଜ୍ଜିତ ହେବେ । ଏହି ଦିନ ରତ୍ନସଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯାଇ ପ୍ରଭୁଙ୍କ ପାଇଁ ୨୮ ଟି ଦୀପ ଲାଗିଥାଏ । ଏବଂ ଜୟବିଜୟ ଦ୍ୱାର ନିକଟରେ ମଧ୍ୟ ଚାଉଳ ଗଛ ଲାଗି ଦୀପ ସର୍ମପଣ କରାଯାଇଥାଏ ।
ପ୍ରଥମରେ ପ୍ରଭୁ ଶ୍ରୀ ଜଗନ୍ନାଥ କଶ୍ୟପ ଏବଂ ଅଦିତିଙ୍କ ପାଇଁ ଶ୍ରାଦ୍ଧ ଦେଇଥାନ୍ତି ।ସେବକମାନେ ଶ୍ରୀଜୀଉଙ୍କୁ ଶ୍ରାଦ୍ଧ ବେଶରେ ସଜ୍ଜିତ କରିଥିବାବେଳେ ଠାକୁରମାନେ କୁଣ୍ଡଳ , ଚନ୍ଦ୍ରସୂର୍ଯ୍ୟ, ଆଡକାନି ତଡଗି ପ୍ରଭୁତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି ।