ବୈାଦ୍ଧ ,(ଏଟିଆର ବ୍ୟୁରୋ): ପୁଲିସକୁ ଦେଖିଲେ ଅନ୍ୟମାନେ ଦୌଡନ୍ତି । କେବେ ଦେଖିଛନ୍ତି ଜୀବନ ବିକଳେ ପୁଲିସ ଧାଇଁବାର । ଆଜି ଏମିତି ଘଟଣା ଦେଖିବାକୁ ମିଳିଛି ବୈାଦ୍ଧ ଜିଲ୍ଲାରେ । ପୁଲିସ କର୍ମଚାରୀମାନେ ଯିଏ ଯେଉଁଠି ଥିଲେ ଧାଇଁବାକୁ ଲାଗିଲେ । କାହାରିକୁ ତ୍ରାହି ମିଳିଲା ନାହିଁ । ଗୋଡାଇ ଗୋଡାଇ ଆକ୍ରମଣ ହେଲା । ଆକ୍ରମଣ ଏତେ ସାଙ୍ଘାତିକ ଥିଲା ଯେ ଆହତ ହୋଇଥିଲେ ଜଣେ କି’ ଦୁଇଜଣ ନୁହେଁ ୮ଜଣ ପୁଲିସ କର୍ମଚାରୀ ।
ଯେଉଁମାନଙ୍କ ମଧ୍ୟରୁ ଏବେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଚିକିତ୍ସା ଲାଗି ସେମାନଙ୍କୁ ଏବେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ପୁଲିସ ନା’ କୌଣସି ମାମଲା ରୁଜୁ କରିପାରୁଛି ନା’ ଅଭିଯୁକ୍ତଙ୍କୁ ଧରିବାକୁ ସକ୍ଷମ । କାରଣ ଆକ୍ରମଣକାରୀ ଅନ୍ୟ କେହି ନୁହେଁ ବରଂ ଥିଲେ ମହୁମାଛି । ପୁଳେ ମହୁମାଛି ଆଜି ପୁଲିସ କର୍ମଚାରୀଙ୍କୁ ଏମିତି ନାକେଦମ କରିଛନ୍ତି ।
ମିଳିଥିବା ରିପୋର୍ଟ ଅନୁସାରେ, ବ୍ରାହ୍ମଣପାଲ୍ଲୀରେ ପୁଲିସ କର୍ମଚାରୀଙ୍କୁ ବନ୍ଧୁକ ଚାଳନାର ଟ୍ରେନିଂ ଦିଆଯାଉଥିଲା । ଗୁଳି ଶବ୍ଦରେ କୁଆଡୁ ଥିଲେ ମହୁମାଛି ଭଁ ଭଁ ହୋଇ ଉଡି ଆସିଲେ । ବାସ ଏହାପରେ ପରିସ୍ଥିତି ଅସମ୍ଭାଳ । କୁଆଡେ ଯିବେ ପୁଲିସ କର୍ମଚାରୀ । ଘେରିଗଲେ ମହୁମାଛି । ଗୋଡାଇ ଗୋଡାଇ ଆକ୍ରମଣ କଲେ । ବୋଉଲୋ ବାପାଲୋ କହି ଟ୍ରେନିଂ ନେଉଥିବା ଓ ଦେଉଥିବା କର୍ମଚାରୀ ଧାଇଁବାକୁ ଲାଗିଥିଲେ । ତେବେ ଏହାରି ଭିତରେ ୮ଜଣ ପୁଲିସ ଆହତ ହୋଇଥିଲେ । ଘଟଣାଟି ଏବେ ସବୁଠି ଆଲୋଚନାର ବିଷୟ ହୋଇଛି ।