ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫାସଟାଗ୍ ଡେଡଲାଇନକୁ ନେଇ ଗାଡି ମାଲିକମାନଙ୍କୁ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି । ଦେଶର ସମସ୍ତ ଚାରି ଚକିଆ ଗାଡି ପାଇଁ ଫାସଟାଗ ଡେଡଲାଇନ ୧୫ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଏନଏଚଏଆଇ ପକ୍ଷରୁ କୁହାଯାଇଥିଲା କି ଜାନୁଆରୀ ପହିଲାରୁ କ୍ୟାଶ ଟୋଲ କଲେକ୍ସନ ବନ୍ଦ ହୋଇଯିବ । କିନ୍ତୁ ଏବେ ଏହାର ସମୟ ସୀମାକୁ ବୃଦ୍ଧି କରାଯାଇଛି ।
ଏନେଇ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଗତକାଲି କୁହାଯାଇଛି କି, ଜାତୀୟ ରାଜପଥରେ ଟୋଲ ପ୍ଲାଜାର ହାଇବ୍ରିଡ ଲେନ୍ ରେ ୧୫ ଫେବୃଆରୀ ପର୍ଯ୍ୟନ୍ତ ଟଙ୍କା ମାଧ୍ୟମରେ ପେମେଣ୍ଟ କରାଯାଇପାରିବ । ଏହାସହିତ ଟୋଲ ପ୍ଲାଜାର ଫାସଟାଗ୍ ଲେନ୍ ରେ କେବଳ ଫାସଟାଗ୍ ମାଧ୍ୟମରେ ହିଁ ପେମେଣ୍ଟ କରାଯିବ ।
୨୦୧୭ ମସିହା ଡିସେମ୍ବର ମାସ ପରେ ନୂତନ ଚାରି ଚକିଆ ବାହନ ପାଇଁ ରେଜିଷ୍ଟ୍ରେସନ ସମୟରେ ହିଁ ଫାସଟାଗ୍ ବାଧ୍ୟତାମୂଳକ କରାଯାଇଥିଲା । ଏହି ପ୍ରକ୍ରିୟାକୁ ଲାଗୁ କରିବା ପାଇଁ ସରକାର କେନ୍ଦ୍ରୀୟ ମୋଟରଯାନ ଅଧିନିୟମ-୧୯୮୯ ରେ ସଂଶୋଧନ କରିଥିଲେ । ଏପର୍ଯ୍ୟନ୍ତ ୨.୨୦ କୋଟିରୁ ଅଧିକ ଫାସଟାଗ ଆବଣ୍ଟିତ କରାଯାଇଛି । ଏକ୍ସପର୍ଟଙ୍କ କହିବାନୁଯାୟୀ, କୋଭିଡ୧୯ ଯୋଗୁଁ କଣ୍ଟାକ୍ଟଲେସ ଟ୍ରାଞ୍ଜାକ୍ସନକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ।