ମୁମ୍ବାଇ (ଏଟିଆର ବ୍ୟୁରୋ): ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ଏବେ ଫିଲ୍ମ ‘ଫନେ ଖାନ’ ଜରିଆରେ ବଡ ପରଦାକୁ ଫେରୁଛନ୍ତି ନୀଳନୟନା ଐଶ୍ଚର୍ଯ୍ୟା ରାୟ । ଏହି ଫିଲ୍ମରେ ଐଶ୍ଚର୍ଯ୍ୟାଙ୍କ ସହିତ ଅନୀଲ କପୁର ଏବଂ ରାଜକୁମାର ରାଓ ନଜର ଆସିବେ । ଲମ୍ବା ସମୟ ଧରି ଏହି ଫିଲ୍ମର ଚର୍ଚ୍ଚା ହେଉଛି, ଏବଂ ଏହି ଫିଲ୍ମଟିକୁ ଦେଖିବା ପାଇଁ ଦର୍ଶକ ଖୁବ୍ ଆଗ୍ରହ ସହିତ ଅନେଇ ବସିଛନ୍ତି ।
ପୂର୍ବରୁ ଏହି ଫିଲ୍ମ ସଲମାନ ଖାଁଙ୍କ ‘ରେସ-୩’ ସହିତ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଥିଲା । ଏବଂ ପରେ ଏହାର ରିଲିଜ୍ ତାରିଖ ଜୁଲାଇ ୧୩କୁ ଘୁଞ୍ଚାଇ ଦିଆ ଯାଇଥିଲା । ଏବେ ପୁଣି ଥରେ ରିଲିଜ୍ ତାରିଖକୁ ଘୁଞ୍ଚାଇ ଅଗଷ୍ଟ ୩ ରଖାଯାଇଛି ।
ଏପର୍ଯ୍ୟନ୍ତ ଫିଲ୍ମର ଅଧିକାଂଶ ସୁଟିଂ ଶେଷ ହୋଇଗଲାଣି । ଏବେ ଫିଲ୍ମର ବଜେଟକୁ ନେଇ ନିର୍ମାତା ଏକ ବଡ ନିଷ୍ପତି ନେଇଛନ୍ତି । ପ୍ରକୃତରେ, ଫିଲ୍ମର ପ୍ରଡକ୍ସନ ପ୍ରଥମେ କ୍ରିଅର୍ଜ ଏଣ୍ଟରଟେନମେଣ୍ଟ ପାଖରେ ଥିଲା । ଯାହା ଏବେ ଭୁଷଣ କୁମାର କଂପାନୀକୁ ହସ୍ତାନ୍ତରିତ କରାଯାଇଛି । ନୂଆ ପ୍ରଡକ୍ସନ କଂପାନୀ ଫିଲ୍ମର ବଜେଟ ରିଭାଇଜ କରିବା ସହିତ ଫିଲ୍ମଟିକୁ କମ ବଜେଟରେ ଶେଷ କରିବାକୁ ଚାହୁଁଛନ୍ତି । ସମସ୍ତ ଖର୍ଚ୍ଚ କମ କରିବା ସହିତ ଫିଲ୍ମର କଳାକାର ମାନଙ୍କ ଫି କାଟିବାକୁ ଦାବି କରିଛନ୍ତି ।
ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟଙ୍କୁ ମଧ୍ୟ ତାଙ୍କ ଫି କମ କରିବା ପାଇଁ କୁହାଯାଇଛି । ବଜେଟକୁ ନେଇ ଏଭଳି ନିଷ୍ପତି ଏହି ସମୟରେ ନିଆ ଯାଇଛି ଯେତେବେଳେ ଫିଲ୍ମର ଅଧିକାଂଶ ସୁଟିଂ ସରିଗଲାଣି ।