ଯାଜପୁର,(ଏଟିଆର ବ୍ୟୁରୋ): ଅନ୍ତ୍ୟେଷ୍ଟି କ୍ରୀୟା ସାରି ନଦୀକୁ ଗାଧୋଇବା ଲାଗି ଯାଇଥିବା ବେଳେ ଘଟିଛି ଏକ ବଡ଼ ଅଘଟଣ । ମା’ ଆଖି ଆଗରେ ଚାଲିଯାଇଛି ପୁଅର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁରରେ । ମୃତ ନାବାଳକ ଜଣଙ୍କ ହେଲେ କୋରେଇ ବ୍ଲକ ଦୁଲାଖାପାଟଣା ବନ୍ଦାଳ ଗାଁର ମାନସ ପତି । ମିଳିଥିବା ରିପୋର୍ଟ ଅନୁସାରେ, ମାଙ୍କ ସହ ମାନସ ଗାଧୋଇବା ଲାଗି ବୈତରଣୀ ନଦୀକୁ ଯାଇଥିଲେ ।
ତେବେ ହଠାତ ମାନସଙ୍କ ଗୋଡ଼ ଖସିଯିବାରୁ ସେ ପାଣି ଭିତରକୁ ପଳାଇଥିଲେ । ପୁଅ ଭାସିଯାଉଥିବା ଦେଖି ମାନସଙ୍କ ମା’ ମଞ୍ଜୁଲତା ବି ତାଙ୍କୁ ଉଦ୍ଧାର କରିବା ଲାଗି ଅଥଳ ପାଣିକୁ ଡେଇଁ ପଡିଥିଲେ । ତେବେ ଦୁଃଖର କଥା ଉଭୟ ଭାସିଯାଇଥିବା ବେଳେ ସ୍ଥାନୀୟ ଲେକେ ଅତି ଗୁରୁତର ଅବସ୍ଥାରେ ମଞ୍ଜୁଙ୍କୁ ସିନା ଉଦ୍ଧାର କଲେ ହେଲେ ମାନସଙ୍କୁ ଉଦ୍ଧାର କରିବା ସମ୍ଭବ ହେଲାନାହିଁ । ପରେ ଅଗ୍ନିଶମ ବିଭାଗ ମାନସଙ୍କୁ ଉଦ୍ଧାର କଲା ବେଳକୁ ସେତବେଳକୁ ବହୁ ବିଳମ୍ବ ହୋଇ ସାରିଥିଲା । ସବୁଦିନ ଲାଗି ଆଖି ବୁଜିଥିଲେ ମାନସ । ଏହି ଘଟଣାଟି ପୂରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।