ରାଉରକେଲା(ଏଟିଆର ବ୍ୟୁରୋ):ପୁଣି ବିପଦ ସାଜିଲା ଟ୍ରେନ । ରାଉରକେଲା ବିଶ୍ରା ରେଞ୍ଚ ମହିପାଣି ନିକଟରେ ଟ୍ରେନ ଧକ୍କାରେ ୨ ଟି ହାତୀଙ୍କର ମୃତ୍ୟୁ ହୋଇଛି । ହାତୀଙ୍କ ସହ ଧକ୍କା ଖାଇବା ପରେ ଉକ୍ତ ପାର୍ସଲ ଭ୍ୟାନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ଖବର ପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ସୂଚନା ଅନୁସାରେ ଗତ ତିନିଦିନ ହେବ ୧୫ ଟିକିଆ ହାତୀପଲ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ୨ ଟି ହାତୀ ଏହି ଘଟଣାର ଶିକାର ହୋଇଛନ୍ତି । ମୃତ ଦୁଇ ହାତୀଙ୍କ ମଧ୍ୟରୁ ଜଣଙ୍କୁ ୧୫ ବର୍ଷ ହୋଇଥିବା ବେଳେ ଅନ୍ୟ ହାତୀଟିକୁ ୮ ବର୍ଷ ହୋଇଥିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସନ୍ଧ୍ୟାସମୟରେ ରେଳବାଇ କତ୍ତୃପକ୍ଷଙ୍କୁ ହାତୀଙ୍କ ଗତିବଧି ନେଇ ସତର୍କ ରହିବା ପାଇଁ କହିଥିଲେ । କିନ୍ତୁ ଟ୍ରେନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିଥିବା ବେଳେ ସେମାନେ ମଧ୍ୟ ସଂଙ୍କେତ ଦେଇ ଟ୍ରେନଟିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଟ୍ରେନ ଟି ରହିନଥିଲା । ଦୁର୍ଘଟଣା କାରଣରୁ ଏହି ଲାଇନରେ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ଲାଇନଚ୍ୟୁତ ହୋଇଥିବା ପାର୍ସଲ ଭ୍ୟାନର ଦୁଇଟି ବଗିକୁ ପୁନର୍ବାର ଧାରଣା ଉପରକୁ ଆଣିବା ପାଇଁ ଉଦ୍ୟମ ଚାଲିଛି । ଏଥିପାଇଁ ଗତକାଲି ରାତିରୁ ହାଓଡା-ମୁମ୍ବାଇ ରେଳମାର୍ଗରେ ଟ୍ରେନ ଚଳାଚଳ ବନ୍ଦ ରହିଛି ।