ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଓଡିଶା ପ୍ରତିବର୍ଷ ବନ୍ୟା ,ବାତ୍ୟା ଓ ମରୁଡି ଭଳି ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ଏଥି ନିମନ୍ତେ ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟକୁ ମରୁଡି ମୁକାବିଲା ପାଇଁ ୧୦୦ କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ବାତ୍ୟା ପାଇଁ ୮୦୦ କୋଟି ଟଙ୍କା ଅନୁଦାନ ମିଳିଛି । ୨୦୨୧-୨୬ ମସିହା ମଧ୍ୟରେ ଏହି ଅନୁଦାନ ରାଶି କେନ୍ଦ୍ରରୁ ପ୍ରଦାନ କରାଯିବ ।
କମିଶନର ଏହାକୁ ଗ୍ରହଣ କରି ୮୦୦ କୋଟି ଟଙ୍କା ଓଡିଶାକୁ ଦେବେ ବୋଲି କହିଛନ୍ତି ।ବାତ୍ୟା ଉପକରଣ ସ୍ଥାନ ନିମନ୍ତେ ରାଜ୍ୟ ସରକାର କେନ୍ଦୀୟ ଅର୍ଥ ଅନୁଦାନ ନିମନ୍ତେ ଅର୍ଥ କମିଶନରଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେ । ଓଡିଶାରେ ଏ ପର୍ଯ୍ୟନ୍ତ ୨୮.୯ ପ୍ରତିଶତ ଜଳସେଚନର ସୁବିଧା ହୋଇଥିବାରୁ ରାଜ୍ୟକୁ ଅଧିକାଂଶ ସମୟରେ ମରୁଡିର ସମ୍ମୁଖୀନ ହେବା ପାଇଁ ପଡୁଛି ।
ଏଥିପାଇଁ କମିଶନରେଟ ଓଡିଶା ସମେତ ୧୨ଟି ରାଜ୍ୟକୁ ୧୦୦ କୋଟି ଟଙ୍କା ଲେଖାଏଁ ମୋଟ ୧୨୦୦ କୋଟି ଟଙ୍କା ବାଣ୍ଟିବା ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଏହି ଅନୁଦାନ ପାଣ୍ଠି ମାଧ୍ୟମରେ ଦେବାପାଇଁ ପରାମର୍ଶ ଦିଆଯାଇଛି ।
ସେହିପରି ସମ୍ବଲପୁର ସହରର ଜଳ ନିଷ୍କାସନ ବ୍ୟବସ୍ଥା ନିମନ୍ତେ ୧୫୦ କୋଟି ଏବଂ ନବରଙ୍ଗପୁର ଜିଲାର କେନ୍ଦୁଗୁଡ଼ାଠାରେ ଇନ୍ଦ୍ରାବତୀ ନଦୀରେ ଏକ ସେତୁ ନିର୍ମାଣ ପାଇଁ ୧୫୦ କୋଟି ଟଙ୍କା ଦେବାକୁ କମିଶନଙ୍କଠାରେ ରାଜ୍ୟ ସରକାର ଦାବି ଉଠାଇବା ପରେ କେନ୍ଦ୍ର ସରକାରଙ୍କୁ ଏନେଇ ସୁପାରିସ୍ କରାଯାଇଛି।