କୋଣାର୍କ(ଏଟିଆର ବ୍ୟୁରୋ):କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଚନ୍ଦ୍ରଭାଗା ରେ ପାଳନ ହେବ ମାଘମେଳା । ପ୍ରତିବର୍ଷ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଉଥିବାରୁ ଏଥର ବୁଡ ପକାଇବା ନେଇ ରୋକ ଲଗାଯାଇଛି । ଚଳିତ ବର୍ଷ ମାତ୍ର ୫ଶହ ଲୋକଙ୍କୁ ମାଘମେଳା ପାଇଁ ଅନୁମତି ମିଳିଛି ।
ସେହିପରି ୫ ଶହ ଲୋକଙ୍କ ମଧ୍ୟରେ ରହିବେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ , ତିନି ଠାକୁରଙ୍କ ସେବାୟତ ଏବଂ ଗଣମାଧ୍ୟମର ପ୍ରତିନିଧି ।ଚନ୍ଦ୍ରଭାଗା ମେଳାପଡିଆ ଓ ତୀର୍ଥ ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ ।ଏନେଇ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଜିଲ୍ଲାପାଳ ସମର୍ଥ ବର୍ମା , ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାଶ , ଓ ଉପଜିଲ୍ଲା ପାଳ ଭବତାରଣ ସାହୁଙ୍କ ଉପସ୍ଥିତିରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତ ବେହେରା ଏହି ବୈଠକର ସଭାପତିତ୍ୱ କରିଥିଲେ । ଚଳିତ ମାସ ୧୮ ତାରିଖ ଅପରାହ୍ନ ରୁ ୧୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ ।
ପ୍ରଥମେ ତିନି ଠାକୁର ମନ୍ଦିରରୁ ବରଣି ହୋଇ ଶୋଭାଯାତ୍ରାରେ ଏନଏସି କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ଭୋଗ ଖାଇସାରି ନିର୍ଦ୍ଧାରିତ ସେବକ ଓ ପ୍ରଶାସନିକ ଅଧିକାରୀଙ୍କ ନେତୃତରେ ଚନ୍ଦ୍ରଭାଗା ତୀର୍ଥ ପରିସରରେ ଥିବା ମଣ୍ଡପକୁ ବିଜେ କରିବେ । ତୀର୍ଥ ପୁଷ୍କରିଣୀରେ ପହଞ୍ଚି ନୀତି ନିର୍ଘଣ୍ଟ ଅନୁଯାୟୀ ପୂଜା ପାଠ , ଓ ଗାଧୁଆ ନୀତି ଶେଷ ହେବା ପରେ ନିଷ୍ପତ୍ତି ହୋଥିବା ୫୦୦ ଶ୍ରଦ୍ଧାଳୁ ବୁଡ ପକାଇବେ ।
ସେହିପରି ଅନୁମତି ମିଳିଥିବା ୫୦୦ ଶ୍ରଦ୍ଧାଳୁଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ପୋଲିସ ପ୍ରଶାସନକୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବ ।