ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପୁଲୱାମା ଆକ୍ରମଣକୁ ଆଜି ପୁରିଛି ୨ ବର୍ଷ । ୨୦୧୯ ଫେବ୍ରୁଆରୀ ୧୪ ତାରିଖ ଦିନ ୪୦ ବୀର ପୁତ୍ରକୁ ହରାଇଥିଲା ଭାରତ । ଦେଶ ପାଇଁ ବଳିଦାନ ଦେଇଥିବା ସହିଦମାନଙ୍କୁ ଆଜି ବି ଝୁରୁଛି ମାଟି ।
ପୁଲୱାମା ରାଜପଥରେ ଲମ୍ବା ଲାଇନ୍ ହୋଇ ସିଆରପିଏଫ୍ ଯବାନଙ୍କ କାଫିଲା ଚାଲିଥିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ହଠାତ୍ ଯବାନଙ୍କ ବସ୍ କୁ ଧକ୍କା ଦେଇଥିଲା ଆରଡିଏକ୍ସ ବୋଝେଇ କାର୍ ।
କିଏବା ଜାଣିଥିଲା ଯବାନଙ୍କ ସେହି ବସ ଯାତ୍ରା ଶେଷ ଯାତ୍ରା ହୋଇଯିବ ବୋଲି । କିଛି ବୁଝିବା ପୂର୍ବରୁ ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଏଥିରେ ସାରା ଦେଶ ଥରି ଉଠିଥିଲା । ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଯବାନଙ୍କ ଶରୀର ।
ଏହି ଘଟଣା ପରେ ଭାରତୀୟ ବାୟୁସେନା ନିଜର ଅଭିଯାନ ଆରମ୍ଭ କରିଦେଇଥିଲା । ୨୦୧୯ ଫେବ୍ରୁଆରୀ ୨୨ ରେ ରିହର୍ସଲ ଆରମ୍ଭ କରିଥିଲା । ଏହି ମିଶନ ଲାଗି ମିରାଜ ସ୍କାର୍ଡନର ୧୨ ଟି ଜେଟକୁ ପ୍ରସ୍ତୁତ ରହିବା ପାଇଁ କୁହାଗଲା । ବାୟୁସେନା ୨୪ ତାରିଖରେ ନିଜର ମିଶନ ଆରମ୍ଭ କଲା ।
ଫେବ୍ରୁଆରୀ ୨୬ ରେ ଅପରେଶନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଅପରେସନରେ ସାମିଲ ହେବା ପରେ ବାୟୁସେନା ମିରାଜ ବିମାନ ଗୁଡିକ ପାକିସ୍ତାନରେ ରାତି ୩ ଟାରେ ଅତର୍କିତ ର୍ପ୍ରବଶ କରି ବାଲାକୋଟ ଅଂଚଳରେ ପରିଚାଳିତ ହୋଇଥିବା ଆତଙ୍କବାଦୀ ଶିବିରରେ ଆକ୍ରମଣ କରିଥିଲେ । ଏଥିରେ ପ୍ରାୟ ୩୦୦ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ହୋଇଥିଲା ଓ ସେମାନେ ନିହତ ହୋଇଥିଲେ ।