ଚାମୋଲି(ଏଟିଆର ବ୍ୟୁରୋ):ଉତ୍ତରଖଣ୍ଡର ଚମୋଲିରେ ହିମସ୍ପଳନରେ ପରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ଅନେକ ଲୋକ ଭାସିଯାଇଥିଲେ । ତେବେ ଆଜି ସକାଳେ ତପୋବନ ସୁଡଙ୍ଗ ମଧ୍ୟରୁ ଆଉ ୫ ଟି ଶବ ଉଦ୍ଧାର କରାଯିବା ପରେ ମୃତ ସଂଖ୍ୟା ୪୩ କୁ ବୃଦ୍ଧି ପାଇଛି ।
ପ୍ରାୟ ସପ୍ତାହେ ହେବ ବନ୍ୟାପ୍ଳାବିତ ତପୋବନ-ବିଷ୍ଣୁଗଡ଼ ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ୩୦ଜଣ ଲୋକଙ୍କୁ ଉଦ୍ଧାର କରିବା ନିମନ୍ତେ ଶନିବାର ଦିନ ଉଦ୍ଧାରକାରୀମାନେ ଅଧିକ ପ୍ରସସ୍ଥ ଓ ଗଭୀର ଗର୍ତ୍ତ ଖନନ କରିଥିଲେ।
ଶନିବାର ଦିନ ଚମୋଲି ଜିଲ୍ଲାପାଳ କହିଥିଲେ, ଏନଟିପିସି ଟନେଲରେ ଖନନ କାର୍ୟ୍ୟ ୧୩୬ ମିଟର ଯାଏଁ ହୋଇଛି । ନିଖୋଜ ଥିବା ୨୦୪ଲୋକଙ୍କ ମଧ୍ୟରୁ ୩୮ ମୃତଦେହ ମିଳିଛି । ଏହାସହ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଏବେବି ଉଦ୍ଧାରକାର୍ୟ୍ୟ ଜାରି ରହିଛି । ତେବେ ଆଜି ଆଉ ୫ଟି ମୃତଦେହ ଉଦ୍ଧାର ହେବା ପରେ ମୃତକଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି।
ଚମୋଲିରେ ହିମସ୍ଖଳନ ପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନେକ ଗାଁ ସହ ଯୋଗାଯୋଗ ବିଭିନ୍ନ ହୋଇଛି । ବିଭିନ୍ନ ଅଞ୍ଚଳରେ ଆଇଟିବିପି ଯବାନମାନେ ରିଲିଫ୍ କ୍ୟାମ୍ପ ଲଗାଇଛନ୍ତି । ଏହାସହ ଲୋକଙ୍କୁ ଜରୁରୀ ଦ୍ରବ୍ୟ ସହ ଖାଦ୍ୟ ପଦାର୍ଥ ବାଣ୍ଟୁଛନ୍ତି ।