ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବିଧାନସଭା ଅଧିବେଶନ ଚାଲିଥିବା ବେଳେ ବାରମ୍ଭାର ଲୋକ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଛନ୍ତି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରାଫିକ କଟକଣା ନିମନ୍ତେ ନିଷ୍ପତ୍ତି ହୋଇଛି ।
ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଓଡିଶା ସହରାଞ୍ଚଳ ଆଇନ ପାଇଁ ୨୦୦୩ ର ଧାରା ୨୮ ଅନୁସାରେ ସଚିବାଳୟ ମାର୍ଗରେ କିଛି ଅଂଶ ଉପରେ କଟକଣା ଲଗାଇଛନ୍ତି । ବିଧାନସଭାରେ ଅଧିବେଶନ ବସିଥିବାବେଳେ ସଚିବାଳୟ ମାର୍ଗରେ କଟକଣା ଲଗାଯାଇଛି ।
କଟକଣା ଅନୁଯାୟୀ ହାଉସିଂ ବୋର୍ଡ ପଟୁ ଆସୁଥିବା ସମସ୍ତ ଗାଡ଼ି କେଶରୀ ଟକିଜଠାରୁ ଆଗକୁ ନଯାଇ ବାମପଟ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ। ଏଜି ଛକରୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ଭବନରେ ଅଟକି ଡାହାଣକୁ ଯାଇ ଇନ୍ଦିରା ଗାନ୍ଧି ପାର୍କ ରାସ୍ତାରେ ଆଗକୁ ଯିବେ।
ସେହିପରି ମାଷ୍ଟର କ୍ୟାଣ୍ଟିନ ପଟୁ ଲୋଏର ପିଏମଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଉପର ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାଶ୍ୱର୍ ଦେଇ ଯାଇପାରିବେ। କିନ୍ତୁ ସେମାନଙ୍କୁ ମହାତ୍ମା ଗାନ୍ଧି ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ। ୧୨୦ ବାଟାଲିୟନ ଛକପଟୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ପାୱାର ହାଉସ ଛକ ଆଡ଼କୁ ଯିବେ। ରାଜଭବନ ଛକ ପଟୁ ଏମଏଲଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀ ନଗର ଆଡ଼କୁ ଯିବେ। ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ ଦପ୍ତରକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
ଏହି କଟକଣା ବିଧାନସଭା ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ ଅଫିସ ଯାଉଥିବା ବ୍ୟକ୍ତିଙ୍କ ଗାଡି ପାଇଁ ଲାଗୁ ହେବ ନାହିଁ । ଅଧିବେଶନ ସମୟରେ ବିଭିନ୍ନ ଲୋକ ଆସି ଆତ୍ମଦାହ ଉଦ୍ୟମ ଭଳି ପଦକ୍ଷେପ ନେଉଥିାରୁ କମିଶନର ପୋଲିସ ଏଭଳି ପଦକ୍ଷେପ ନେଇଛନ୍ତି ।