ମହାଶିବରାତ୍ରି । ଏହିଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା । ମହାଶିବରାତ୍ରିର ଏହି ପବିତ୍ର ଅବସରରେ ଏଟିଆର ମିଡିଆର ସ୍ୱତନ୍ର୍ତ୍ର ଅଧ୍ୟାୟ ‘ଶିବ କଥା’ରେ ଆମେ ଆପଣଙ୍କୁ ଜଣାଇବୁ ଭଗବାନ ଶିବ କାହିଁକି ତାଙ୍କ ଗଳାରେ ନାଗ, ଜଟାରେ ଗଙ୍ଗା, ମସ୍ତକରେ ଚନ୍ଦ୍ରମା ଏବଂ ହାତରେ ଡମ୍ବୁର ଧାରଣ କରନ୍ତି ।
ପୌରାଣିକ କଥାନୁସାରେ ଯେତେବେଳେ ଶିବ, ବିବାହ ପାଇଁ ବରଯାତ୍ରୀ ନେଇ ହିମାଳୟରେ ପହଁଚିଲେ ସେହିସମୟରେ ପାର୍ବତୀଙ୍କ ମାତା ଶିବଙ୍କ ରୂପକୁ ଦେଖି ବେହୋସ ହୋଇଯାଇଥିଲେ । କାରଣ ଶିବଙ୍କ ସ୍ୱରୂପ ସମସ୍ତ ଦେବତାଙ୍କଠାରୁ ଭିନ୍ନ ଥିଲା । ଶିବ ତାଙ୍କ ଶରୀରରେ ଭସ୍ମ, ମଥାରେ ଚନ୍ଦ୍ରମା, ଜଟାରେ ଗଙ୍ଗା ଏବଂ ଗଳାରେ ସର୍ପ ଧାରଣ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଶିବ ତାଙ୍କ ଗଳାରେ ନାଗ, ଜଟାରେ ଗଙ୍ଗା ,ମସ୍ତକରେ ଚନ୍ଦ୍ରମା ଏବଂ ହାତରେ ଡମ୍ବୁର କାହିଁକି ଧାରଣ କରନ୍ତି । ତେବେ ଆସନ୍ତୁ ଜାଣିବା ।
ପୌରାଣିକ କଥାନୁସାରେ, ଭାଗିରଥୀ ତାଙ୍କ ପିତୃପୁରୁଷଙ୍କୁ ଜୀବନ ଏବଂ ମୃତ୍ୟୁ ଦୋଷରୁ ମୁକ୍ତ କରିବା ପାଇଁ ମାତା ଗଙ୍ଗାଙ୍କୁ ପୃ୍ଥିବୀକୁ ଆଣିବା ପାଇଁ କଠୋର ତପସ୍ୟା କରିଥିଲେ । ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମାତା ଗଙ୍ଗା ପୃଥିବୀକୁ ଆସିବା ପାଇଁ ରାଜି ହୋଇଗଲେ, କିନ୍ତୁ ସେ ଭାଗିରଥୀକୁ କହିଲେ କି, ତାଙ୍କ ବେଗ ପୃଥିବୀ ସହ୍ୟ କରିପାରିବ ନାହିଁ । ସେହିସମୟରେ ଭଗବାନ ଶିବଙ୍କୁ ଆରାଧନା କଲେ ଭାଗିରଥୀ । ତାଙ୍କ ଆରାଧନାରେ ଶିବ ପ୍ରସନ୍ନ ହୋଇ ତାଙ୍କୁ ବରଦାନ ମାଗିବାକୁ କହିଲେ । ତାପରେ ଭାଗିରଥୀ ପୁରା ବିବୃତ୍ତି ଜଣାଇଲେ । ଏହାପରେ ଭଗବାନ ଶିବ, ଗଙ୍ଗାକୁ ନିଜ ଜଟାରେ ଧାରଣ କରିନେଲେ ।
ଶିବପୁରାଣରେ ବର୍ଣ୍ଣିତ କଥାନୁସାରେ, ଚନ୍ଦ୍ରଙ୍କ ସହିତ ନିଜ ୨୭ କନ୍ୟାଙ୍କ ବିବାହ କରିଥିଲେ ମହାରାଜ ଦକ୍ଷ । କିନ୍ତୁ ରୋହିଣୀଙ୍କୁ ଖୁବ୍ ଭଲ ପାଉଥିଲେ ଚନ୍ଦ୍ର । ଏହାପରେ ଯେତେବେଳେ ଦକ୍ଷଙ୍କ ସମସ୍ତ କନ୍ୟା ଏନେଇ ତାଙ୍କ ନିକଟରେ ଅଭିଯୋଗ କରିଥିଲେ ସେତେବେଳେ ଦକ୍ଷ କ୍ରୋଧରେ ଚନ୍ଦ୍ରଙ୍କୁ ଯକ୍ଷ୍ମା ରୋଗରେ ପୀଡିତ ହେବାର ଶ୍ରାପ ଦେଇଥିଲେ । ଏହାପରେ ଭଗବାନ ଶିବଙ୍କର ପୂଜା-ଆରାଧନା କଲେ ଚନ୍ଦ୍ର । ଶିବଙ୍କ କୃପାରୁ ଚନ୍ଦ୍ର ଏହି ରୋଗରୁ ମୁକ୍ତ ହୋଇଥିଲେ । ଏହାସହିତ ଚନ୍ଦ୍ରଙ୍କ ଭକ୍ତିରେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କୁ ତାଙ୍କ ମସ୍ତକରେ ଧାରଣ କରିନେଲେ ।
ଭଗବାନ ଶିବ ହିଁ ଏକମାତ୍ର ଦେବତା ଯିଏ ତାଙ୍କ ଗଳାରେ ଆଭୁଷଣ ରୂପେ ସର୍ପ ଧାରଣ କରିଥାନ୍ତି । ପୌରାଣିକ କଥାନୁସାରେ ଭଗବାନ ଶିବଙ୍କର ପରମ ଭକ୍ତ ଥିଲେ ବାସୁକୀ ନାଗ । ଯେତେବେଳେ ଅମୃତ ପ୍ରାପ୍ତି ପାଇଁ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ରସି ସ୍ଥାନରେ ବାସୁକି ନାଗକୁ ବ୍ୟବହାର କରାଯାଇଥିଲା । ତାଙ୍କ ଭକ୍ତିରେ ଭଗବାନ ଶିବ ପ୍ରସନ୍ନ ହୋଇ ବାସୁକି ନାଗକୁ ନାଗଲୋକର ରାଜା କରିବା ସହ ତାଙ୍କୁ ତାଙ୍କ ଗଳାରେ ଆଭୂଷଣ ରୂପେ ଧାରଣ କରିନେଇଥିଲେ ।
ପୌରାଣିକ କଥାନୁସାରେ ତ୍ରିଶୁଲ ଭଳି ଡମ୍ବରୁ ମଧ୍ୟ ଶିବଙ୍କ ସହ ଜଡିତ । ଯେତେବେଳେ ଭଗବାନ ଶିବ ପ୍ରକଟ ହୋଇଥିଲେ ସେତେବେଳେ ସେ ୧୪ ଥର ଡମ୍ବରୁ ବଜାଇବା ସହିତ ନୃତ୍ୟ କରିଥିଲେ । ଯାହାଦ୍ୱାରା ସୁର ଏବଂ ତାଳର ଜନ୍ମ ହୋଇଥିଲା । ସେହିପରି ଭାବେ ସୃଷ୍ଟିକୁ ସମନ୍ୱୟ କରିବା ପାଇଁ ଭଗବାନ ଶିବ ସର୍ବଦା ତାଙ୍କ ହାତରେ ଡମ୍ବରୁ ଧାରଣ କରିଥାନ୍ତି ।