ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ପଞ୍ଚାଗ ଅନୁସାରେ, ଫାଲ୍ଗୁନ ମାସ ଶୁକ୍ଲ ପକ୍ଷ ଦ୍ୱିତୀୟ ତିଥିରେ ଫୁଲେରା ଦୁଜ୍ ପର୍ବ ପାଳନ କରାଯାଏ । ସେହିପରି ଆଜି ହେଉଛି ଫୁଲେରା ଦୁଜ୍ ପର୍ବ । ରାଧା-କୃଷ୍ଣଙ୍କୁ ସମର୍ପିିତ ଏହି ପର୍ବ । ଏହିଦିନ ମନ୍ଦିରରେ ରାଧା-କୃଷ୍ଣଙ୍କ ମୂର୍ତ୍ତିକୁ ଫୁଲରେ ସଜା ଯାଇଥାଏ ଏବଂ ପୂଜା କରାଯାଇଥାଏ । ମାନ୍ୟତା ରହିଛି କି, ଏହି ଦିନ ବିବାହ କରିବା ଦ୍ୱାରା ଦମ୍ପତ୍ତିଙ୍କୁ ଭଗବାନ ଶ୍ରୀକୃଷ୍ଣ ଏବଂ ମାତା ରାଧାଙ୍କ ଆର୍ଶିବାଦ ପ୍ରାପ୍ତି ହୋଇଥାଏ । ଏହି ଦିନୁ ହୋଲି ପର୍ବ ର ଶୁଭାରମ୍ଭ ହୋଇଥାଏ ବୋଲି କୁହାଯାଏ ।
ପୌରାଣି କଥାନୁସାରେ, ବ୍ୟସ୍ତତା ହେତୁ ଭଗବାନ ଶ୍ରୀକୃଷ୍ଣ ଅନେକ ଦିନରୁ ରାଧାଙ୍କୁ ଭେଟିବା ପାଇଁ ବୃନ୍ଦାବନ ଯାଇନଥିଲେ । ସେଥିପାଇଁ ରାଧା ଖୁବ୍ ଦୁଃଖିତ ଥିଲେ । ରାଧାଙ୍କୁ ଦେଖି ଗୋପୀମାନେ ମଧ୍ୟ ଦୁଃଖିତ ହୋଇଗଲେ ଏବଂ ଭଗବାନ କୃଷ୍ଣଙ୍କ ଉପରେ କ୍ରୋଧିତ ହୋଇଗଲେ । ମଥୁରାର ବଗିଚା ମଧ୍ୟ ସୁଖିବାକୁ ଲାଗିଲା ଏବଂ ଫୁଲଗୁଡିକ ସବୁ ଝାଉଁଳିବାକୁ ଲାଗିଲା । ଏହି କଥା ଯେତେବେଳେ ଭଗବାନ କୃଷ୍ଣ ଜାଣିବାକୁ ପାଇଲେ ସେତେବେଳେ ସେ ରାଧାଙ୍କୁ ଭେଟିବା ପାଇଁ ବୃନ୍ଦାବନ ଆସିଲେ । ଏହାପରେ ଭଗବାନ କୃଷ୍ଣଙ୍କୁ ଦେଖି ରାଧା ରାଣୀ ଅତ୍ୟନ୍ତ ଖୁସୀ ହୋଇଗଲେ । ବଗିଚା ସବୁଜତାରେ ଭରି ଗଲା । ଫୁଲଗୁଡିକରେ ଚମକ ଆସିଲା । ଖିଲି ଖିଲି ହୋଇ ହସୁଥିବା ସେହି ଫୁଲକୁ ଭଗବାନ କୃଷ୍ଣ ଛିଡାଇ ରାଧାଙ୍କ ଉପରକୁ ପକାଇଥିଲେ, ରାଧା ମଧ୍ୟ ସେହି ଫୁଲକୁ ଛିଡାଇ କୃଷ୍ଣଙ୍କ ଉପରକୁ ପକାଇଲେ । ଏହାକୁ ଦେଖି ଗୋପୀ ଏବଂ ଗୋପମାନେ ସେମାନଙ୍କ ମଧ୍ୟରେ ଫୁଲ ପକା ପକା ହୋଇଥିଲେ । ସେବେଠାରୁ ହିଁ ମଥୁରାରେ ଫୁଲର ହୋଲି ଖେଳାଯାଏ ।