ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କୋଭିଡ ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇଥିବାବେଳେ ଏହାର ମୁକାବିଲା ପାଇଁ ତତ୍ପରତା ମଧ୍ୟ ବଢିବାରେ ଲାଗିଛି । ଏଥର ବି ଆରମ୍ଭରୁ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡର ସ୍ଥିତି ସମୀକ୍ଷା କରିବା ପାଇଁ ରାଜ୍ୟସରକାରଙ୍କ ସବୁ ବରିଷ୍ଠ ଅଧିକାରୀ,ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ ।
ଗାଁରେ କୋଭିଡ ସଂକ୍ରମଣ ପରିଚାଳନା କମିଟିକୁ ପୁଣି ଥରେ ସକ୍ରିୟ କରାଯିବ । ସେମାନଙ୍କ ଗାଁ ବାହାରରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ । ଓ ପୁଣିଥରେ ସରପଞ୍ଚ,ୱାର୍ଡ ମେମ୍ବର,ଆଶାକର୍ମୀ ଓ ଅଙ୍ଗନବାଡିଙ୍କୁ କୋଭିଡ ମୁକାବିଲାର ଦାୟିତ୍ୱ ଦିଆଯିବ । ତେବେ ସ୍ଥିତି ଦେଖି ଲକଡାଉନ ହେବ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ସବୁଠାରୁ ବଡ କଥା ହେଲା ସରକାର ବିବାହ,ମହୋତ୍ସବ,ଶୁଦ୍ଧି,ବୈଠକ ଆଦିରେ ୫୦୦ ପର୍ଯ୍ୟନ୍ତ ଲୋକଙ୍କ ସମାଗମ ପାଇଁଁ ଅନୁମତି ଦେଇଛନ୍ତି ।
ବିଶେଷକରି ମହାରାଷ୍ଟ୍ର, ପଞ୍ଜାବ, କେରଳ, ଗୁଜରାଟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବା ବଜାରମାନଙ୍କରେ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି ।ଆରଟିପିସିଆର ପରୀକ୍ଷା ବଢାଇବାକୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁ ଅଞ୍ଚଳରୁ କୋଭିଡ ପଜେଟିଭ ବାହାରିବେ ସେଠାରେ ମାଇକ୍ରୋ କଣ୍ଟନନେଣ୍ଟ କରିବା ସହ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦେବାକୁ କୁହାଯାଇଛି ।
ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ଆଜିଠୁ ନାଇଟ କର୍ଫ୍ୟୁ ଲାଗୁ କରିବା ଆରମ୍ଭ ହେଉଥିବାବେଳେ ସଂକ୍ରମଣ ବଢୁଥିବା ଅନ୍ୟ ସ୍ଥାନରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ କରାଯିବାର ସମ୍ଭାବନା ରହିଛି । କରୋନା କଟକଣାକୁ କଡା କଡି କରିବା ସହ ଅଯଥା ଭିଡ ରୋକିବାକୁ ପୋଲିସ ଡିଜି ଏସପି ମାନଙ୍କୁ ନିର୍ଦେଶ ଦେଇଛନ୍ତି । ସପିଂ ମଲ୍ ଏବଂ ଲୋକ ଭିଡ଼ ହେଉଥିବା ବଜାରରେ କଡ଼ା କଟକଣା କରାଯିବ।