ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ ୨ ରୁ ୩ ଦିନ ଆଶ୍ୱସ୍ତି ପରେ ରାଜ୍ୟକୁ ପୁଣି ଫେରିଛି ଅସହ୍ୟ ତାତି । ରାଜ୍ୟର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ଏବଂ ଅତ୍ୟଧିକ ତାତି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଫଳରେ ଘରୁ ବାହାରିବା ମୁସକିଲ ହୋଇପଡିଛି ।
ବିଶେଷ କରି ସୁନ୍ଦରଗଡ,ଝାରସୁଗୁଡା,ସମ୍ବଲପୁର,ଦେବଗଡ,ଅନୁଗୁଳ,ସୋନପୁର,ବୈାଦ୍ଧ,ବରଭଡ,ବଲାଙ୍ଗିର,ଆଦି ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିବ । ଫଳରେ ଆସନ୍ତା ୩ ଦିନ ପର୍ୟ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଖରାରେ ବାହାରକୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ସେହିପରି ୮ତାରିଖରେ ଝାରସୁଗୁଡା,ସୁନ୍ଦରଗଡ,ଦେବଗଡ,ମୟୂରଭଞ୍ଜ,କେନ୍ଦୁଝର,ଯାଜପୁର,ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ୯ ତାରିଖ ଦିନ ମଧ୍ୟ ୧୧ ଜିଲ୍ଲାରେ ଯଥା କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, କଟକ, ବାଲେଶ୍ବର, ଭଦ୍ରକ, ଗଜପତି, ଗଞ୍ଜାମ, ଅନୁଗୁଳ ଓ ଖୋର୍ଧା ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି।
ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ବି ସମ୍ଭାବନା ରହିଛି। ସେହିଭଳି ୧୦ ତାରିଖ ଦିନ ମଧ୍ୟ ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏଣୁ କାଳବୈଶାଖୀର ସମ୍ଭାବନାକୁ ନେଇ ଏହି ୩ ଦିନ ପାଇଁ ଉକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।