ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ହୁ ହୁ ହୋଇ ବଢିଚାଲିଛି କରେନା ସଂକ୍ରମଣ । ଯାହାଫଳରେ ଲୋକଙ୍କ ମନରେ ଏକପ୍ରକାରର ଭୟ ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଏଭଳି ସ୍ଥିତିରେ ଏବେ ଟୀକାକରଣ ଉପରେ ଅଧିକ ଜୋର ଦିଆଯାଉଛି । ଅନେକ ଦେଶରେ ସରକାରି ଏବଂ ଘରୋଇ କମ୍ପାନୀ ଗୁଡିକ ଲୋକଙ୍କୁ ଟୀକା ଲଗାଇବା ପାଇଁ ବିଭିନ୍ନ ଅଫର ଦେଉଛନ୍ତି । ଏଥିରେ ରେସ୍ତୋରାଂରୁ ମାଗଣା ଖାଦ୍ୟଠୁ ନେଇ ବିୟର ପାର୍ଲରରେ ମାଗଣା ବିୟର ଅଫର ମଧ୍ୟ ସାମିଲ ଅଛି । କ୍ୟାବ ସର୍ଭିସ କମ୍ପାନୀ ଉବର ଏକ ବଡ ଘୋଷଣା କରିଛି । ଦିଲ୍ଲୀରେ ୧,୫ କୋଟି ପର୍ଯ୍ୟନ୍ତ ମାଗଣା ରାଇଡ ଦେବାର ଘୋଷଣା କରିଛି କମ୍ପାନୀ । ସେହିପରି ଟୀକା ଲଗାଇଥିବା ପ୍ରଥମ ୨୦୨୧ ଲୋକଙ୍କୁ ପାଞ୍ଚ ଥର ମାଗଣାରେ ବିୟର ଦେବାର ଅଫର କରିଛି ଆମେରିକା ର ଓହିୟୋରେ ମାର୍କେଟ ଗାର୍ଡେନ ବ୍ୟୁରୋ ।
ତେବେ ଆସନ୍ତୁ ଜାଣିବା ଟୀକା ଲଗାଇବା ପାଇଁ ଦୁନିଆରେ କେଉଁ କେଉଁ ପ୍ରକାରର ଅଫର ଦିଆଯାଉଛି:
– ଟୀକା ଲଗାଇବା ପାଇଁ ଚୀନ ସରକାର ଅନେକ ଅଫର ଦେଉଛନ୍ତି । ସେହିପରି ହେନାନ ପ୍ରାନ୍ତର ଏକ ସହରରେ ସ୍ଥାନୀୟ ସରକାର ଟୀକା ନଲଗାଉଥିବା ବ୍ୟକ୍ତିଙ୍କୁ ଚାକିରୀରୁ ବାହାର କରିଦେବାର ଚେତାବନୀ ଦେଇଛନ୍ତି ।
– ଆମେରିକାରେ ମ୍ୟାକ ଡୋନଲ୍ଡସ, ଆଟଆଣ୍ଡଟି, ଇଂସାକାର୍ଟ, ଟାରଗେଟ, ଟ୍ରେଡର ଜୋସ, କୋବାନୀ ଭଳି କମ୍ପାନୀ ଟୀକା ଲଗାଇ ଥିବା ତାଙ୍କ ଷ୍ଟାଫଙ୍କୁ ଛୁଟି ଏବଂ ଟଙ୍କା ଦେବାର ଘୋଷଣା କରିଛନ୍ତି ।
– କ୍ୟାବ ଏଗ୍ରିଗେଟର ଉବର କମ୍ପାନୀ ଭାରତ ସମେତ ପୁରା ଏସିଆ, ଉତ୍ତର ଆମେରିକା ଏବଂ ୟୁରୋପରେ ଟୀକାକରଣ ପାଇଁ ମାଗଣା ରାଇଡର ଅଫର ଦେଇଛି । କମ୍ପାନୀ କହିଛି କି ଟୀକାକରଣ କେନ୍ଦ୍ର ପଯର୍ଯ୍ୟନ୍ତ ଯିବା ଆସିବା ପାଇଁ ଅକ୍ଷମ ଲୋକଙ୍କୁ ଏକ କୋଟିର ମାଗଣା ରାଇଡ ମିଳିବ ।
– ବେଜିଙ୍ଗରେ ମଧ୍ୟ ଅନେକ ଟୀକାକରଣ କେନ୍ଦ୍ର ବାହାରେ ମାଗଣାରେ ଆଇସକ୍ରିମ ଦିଆଯିବାର ବୋର୍ଡ ଲଗାଯାଇଛି ।