ପୁରୀ (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବ୍ୟାପି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ମେ ୧୫ ଯାଏଁ ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର । କେବଳ ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ଖୋଲା ରହିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଙ୍ଗରେ ବସିଥିବା ବୈଠକରେ ନିଷ୍ପତି ନିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ ମାମଲା ବୃଦ୍ଧି ହେବା ସହିତ ଲଗାତର ଭାବେ ଶ୍ରୀମନ୍ଦିର ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ଶ୍ରୀମନ୍ଦିର ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ଏହାକୁ ଦୃଷ୍ଟିରେ ରଖି ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।