ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଗଞ୍ଜାମ ଜିଲ୍ଲା କୁଶପଡା ଗାଁରେ ଘଟିଛି ଏକ ଅଭାନୀୟ ଘଟଣା । ପୁଅର ଆତ୍ମହତ୍ୟା ପରେ ନିଜକୁ ଦୋଷୀ ଭାବି ବାପା ବି କରିଛି ଆତ୍ମହତ୍ୟା । ଘଟଣାଟି ପୂରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତକ ମାନେ ହେଲେ ରାଜେନ୍ଦ୍ର ପଣ୍ଡା(୫୫) ଓ ତାଙ୍କ ପୁଅ କଳ୍ପବଟ ପଣ୍ଡା(୨୦) ।
ରିପୋର୍ଟ ଅନୁସାରେ, କଳ୍ପବଟ ଜଣେ ମେଧାବୀ ଛାତ୍ର ଥିଲେ ।
ତେବେ କିଛିଦିନ ହେବ ସେ ପାଠ ପଢ଼ାରେ ମନ ଦେଉନଥିଲେ । ଯେଉଁଥି ପାଇଁ ତାଙ୍କ ବାପା ରାଜେନ୍ଦ୍ର ସବୁବେଳେ ତାଗିଦ କରୁଥିଲେ । ରାଜେନ୍ଦ୍ର ସବୁଠୁ ଅଧିକ ବିରକ୍ତ ହେଉଥିଲେ କଳ୍ପବଟଙ୍କ ଟିଭି ଦେଖାକୁ ନେଇ । ଅନେକ ସମୟରେ ଟିଭି ଦେଖାରେ ବ୍ୟସ୍ତ ରହୁଥିଲେ କଳ୍ପବଟ । ଖାସ ଏଥିପାଇଁ ମଝିରେ କଳ୍ପବଟଙ୍କୁ ଗାଳିଗୁଲଜ କରିଥିଲେ ରାଜେନ୍ଦ୍ର । ଏଥିରେ ମର୍ମାହତ ହୋଇ କଳ୍ପବଟ ଘର ପାଖରେ ଥିବା କଣିତୋଟାରେ ଆତ୍ମହତ୍ୟା କରିଥିଲେ ।
ପୁଅ ଘରକୁ ନଫେରିବାରୁ ଖୋଜାଖୋଜି କରିଥିଲେ ରାଜେନ୍ଦ୍ର । ତୋଟାରେ ପହଞ୍ଚି କଳ୍ପବଟଙ୍କ ଝୁଲନ୍ତା ମୃତଦେହ ଦେଖିବା ପରେ ଭାଙ୍ଗିପଡିଥିଲେ ରାଜେନ୍ଦ୍ର । ତାଙ୍କ ପାଇଁ ପୁଅ ଆତ୍ମହତ୍ୟା କରିଥିବା ଭାବି ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯଦିଓ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେତେବେଳକୁ ବିଳମ୍ବ ହୋଇଯାଇଥିଲା । ଡାକ୍ତର ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି ।