ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣ ଖାଦ୍ୟରେ ଯେତେ ପ୍ରକାରର ମସଲା ବ୍ୟବହାର କରିଥାନ୍ତୁ ନା କାହିଁକି କିନ୍ତୁ ଯଦି ଖାଦ୍ୟରେ ଲୁଣ ପକାଇ ନଥିବେ ତେବେ ଖାଦ୍ୟ ସମ୍ପୂର୍ଣ୍ଣ ସ୍ୱାଦହୀନ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ହିସାବରେ ଖାଦ୍ୟରେ ଲୁଣ ବ୍ୟବହାର କରିଥାନ୍ତି । କିଏ ଅଧିକ ଲୁଣ ବ୍ୟବହାର କରେ ତ ପୁଣି କିଏ କମ ଲୁଣ । ଅବଶ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଅଧିକ ଲୁଣ ସେବନ କରିବା ଉଚିତ୍ ନୁହେଁ ଏହା ଶରୀର ପ୍ରତି କ୍ଷତିକାରକ ।
ସେହିପରି ଲୁଣ ସେବନକୁ ନେଇ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏକ ଗାଇଡଲାଇନ ଜାରି କରିଛି । ଏହାସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି କି,ଅଧିକ ମାତ୍ରାରେ ଲୁଣ ସେବନ କରିବା ଦ୍ୱାରା ପ୍ରତ୍ୟେକ ବର୍ଷ ପାଖାପାଖି ତିନି ମିଲିଅନ ଲୋକଙ୍କ ମୃତ୍ୟୁ ହୋଇଥାଏ । ସେଥିପାଇଁ ଗୋଟେଦିନରେ ୫ ଗ୍ରାମର ଲୁଣ ପ୍ରର୍ଯ୍ୟାପ୍ତ ଅଟେ ।
ବାସ୍ତବରେ ଆମ ଶରୀର ଉଭୟ ସୋଡିୟମ୍ ଏବଂ ପୋଟାସିୟମ୍ ଆବଶ୍ୟକ କରେ । ଅଧିକ ଲୁଣ ଖାଇବା ଶରୀରରେ ଅଧିକ ସୋଡିୟମ୍ ସୃଷ୍ଟି କରେ ଏବଂ ପୋଟାସିୟମ୍ ଏବଂ ସୋଡିୟମ୍ ପରିମାଣରେ ଅସନ୍ତୁଳନ ଦେଖାଯାଏ । ସୋଡିୟମର ଅତ୍ୟଧିକ ହାଡକୁ ଦୁର୍ବଳ କରିଥାଏ ଏବଂ ଉଚ୍ଚ ବିପି ସୃଷ୍ଟି କରେ । ଏହି କାରଣରୁ, ମସ୍ତିଷ୍କ ଷ୍ଟ୍ରୋକ୍, ହୃଦୟ ସମ୍ବନ୍ଧୀୟ ରୋଗ, କିଡନୀ ଉପରେ ଖରାପ ପ୍ରଭାବ ହେବାର ଆଶଙ୍କା ଅଧିକ ।
ବିିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଶରୀରରେ ସୋଡିୟମର ଆବଶ୍ୟକତା ପାଞ୍ଚ ଗ୍ରାମ ଲୁଣ ଦ୍ୱାରା ପୂରଣ ହୋଇଥାଏ । କିନ୍ତୁ ଆମ ମଧ୍ୟରୁ ଅଧିକାଂଶ ଲୋକ ହାରାହାରି ଦିନକୁ ପ୍ରାୟ ୯ ରୁ ୧୨ ଗ୍ରାମ ଲୁଣ ଖାଇଥାନ୍ତି । ବିିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧ୍ୟୟନ ସମୟରେ ପ୍ରକ୍ରିୟାକୃତ ଖାଦ୍ୟ, ପ୍ୟାକେଜ୍ ଖାଦ୍ୟ, ଦୁଗ୍ଧ ଏବଂ ମାଂସରେ ସର୍ବାଧିକ ଲୁଣ ମିଳିଥିଲା । ବିିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଯଦି ସନ୍ତୁଳିତ ପରିମାଣରେ ଲୁଣ ଖାଆନ୍ତି, ତେବେ ପ୍ରାୟ ୨.୫ ନିୟୁତ ମୃତ୍ୟୁକୁ ରୋକାଯାଇପାରିବ।,