ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ଲହରିରେ ଛଟପଟ ଲୋକେ । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏଭଳି ସ୍ଥିତିରେ ଏବେ ଭାଇରାସରୁ ରକ୍ଷା ପାଇବାର ଏକମାତ୍ର ଉପାୟ ଟୀକାକରଣ । ସେଥିପାଇଁ ଟୀକାକରଣକୁ ବ୍ୟାପକ କରାଯାଇଛି । କିନ୍ତୁ ଟୀକାକରଣରେ ବଡ ବାଧକ ସାଜିଛି ଟୀକାର ଅଭାବ । ଲଗାତର ଭାବେ ଟୀକା ସଙ୍କଟ ଦେଖାଦେଉଛି । ଯେଉଁଥିପାଇଁ ରାଜ୍ୟର ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ଟୀକାକରଣ ହୋଇ ପାରୁ ନାହିଁ । ସେହିପରି ଟୀକା ଅଭାବ ଥିବା ହେତୁ ଆଜି ମଧ୍ୟ ରାଜ୍ୟର ୪ଟି ଜିଲ୍ଲାରେ ଟୀକାକରଣ ବନ୍ଦ ।
ରାଜ୍ୟର ଯେଉଁ ୪ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି ସେହି ଜିଲ୍ଲା ହେଲା- ଜଗତସିଂହପୁର, ବାଲେଶ୍ୱର ,ନୟାଗଡ ଓ କେନ୍ଦ୍ରାପଡା, ଜିଲ୍ଲା । ଟୀକା ଆସିବା ପରେ ଏହି ସବୁ ଜିଲ୍ଲା ରେ ପୁର୍ନବାର ଟୀକାକରଣ ପ୍ରକ୍ରିୟା ଜାରି ରହିବ । ଏବେ ରାଜ୍ୟ ନିକଟରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡ ଟୀକା ମଧ୍ୟରୁ ୩ ଲକ୍ଷ ୯ ହଜାର ୭୧୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୫୪ ହଜାର ୮୯୦ କୋଭାକ୍ସିନର ଡୋଜ ରହିଛି ।
ଏହାସହିତ ରାଜ୍ୟରେ ଏପର୍ଯ୍ୟନ୍ତ ୬୮ ଲକ୍ଷ ୭୦ ହଜାର ୩୨୬ ଜଣଙ୍କୁ ଟୀକା ଦିଆଯାଇଛି ।