ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପଣ ଲଗାଇଛନ୍ତି କି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟୀକା । ତେବେ ଆପଣଙ୍କ ପାଇଁ ଜରୁରୀ ଖବର । ବାସ୍ତବରେ କୋଭାକ୍ସିନ ଟୀକା ଲଗାଇ ଥିବା ବ୍ୟକ୍ତିଙ୍କ ପାଇଁ ବିଦେଶ ଯାତ୍ରାରେ ସମସ୍ୟା ସୃଷ୍ଟି ହୋଇପାରେ । ପ୍ରକୃତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ର ଏମରଜେନ୍ସି ୟୁଜ୍ ଲିଷ୍ଟିଂ (ଇୟୁଏଲ) ରେ ସାମିଲ ନାହିଁ କୋଭାକ୍ସିନ ଟୀକା । ଯେଉଁ ଟୀକା ଗୁଡିକ ହୁ’ ର ଇୟୁଏଲ ତାଲିକାରେ ସାମିଲ ଥିବ ଏବଂ ସେହି ଟୀକାର ଦୁଇଟି ଡୋଜ ବ୍ୟକ୍ତି ନେଇଥିବେ ସେମାନେ ବିଦେଶ ଯାତ୍ରା କରିପାରିବେ । କାରଣ କରୋନା ଟୀକାର ଉଭୟ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ବିଭିନ୍ନ ଦେଶ ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ଦେବେ ବୋଲି ଘୋଷଣା କରିଛନ୍ତି । ସେହିପରି ଆଉ କିଛି ଦେଶ ବହୁତ ଶୀଘ୍ର ନୂତନ ନିୟମର ଘୋଷଣା କରି ପାରନ୍ତି ।
ହୁ’ ର ଇୟୁଏଲ ତାଲିକାରେ ଯେଉଁ ଟୀକା ଗୁଡିକ ସାମିଲ ଅଛି ସେଗୁଡିକ ହେଲା, କୋଭିସିଲ୍ଡ, ମଡେର୍ଣ୍ଣା, ଫାଇଜର, ଏଷ୍ଟ୍ରାଜେନେକା (ଦୁଇ), ଜେନସେନ (ଆମେରୀକା ଏବଂ ନେଦରଲ୍ୟାଣ୍ଡ) ଏବଂ ସିନୋଫାର୍ମା । କିନ୍ତୁ ଭାରତ ବାୟୋଟେକର କୋଭାକ୍ସିନ ଏହି ତାଲିକାରେ ସାମିଲ ନାହିଁ । ଏହାକୁ କେବଳ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି ।
ହୁ’ର ଗାଇଡଲାଇନ ଅନୁସାରେ ଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟ ଜମା କରିଛି ଭାରତ ବାୟୋଟେକ । କିନ୍ତୁ ଏହା ସମ୍ବନ୍ଧରେ କମ୍ପାନୀକୁ ଆହୁରି ତଥ୍ୟ ମାଗିଛି ହୁ । ମେ’-ଜୁନ୍ରେ ଦସ୍ତାବିଜ୍ ଦାଖଲ ପାଇଁ ବୈଠକ କରିବାକୁ ମଧ୍ୟ ହୁ’ କହିଛି। ଏହାପରେ ଏହାକୁ ହୁ’ର ବିଭିନ୍ନ ବିଭାଗ ସମୀକ୍ଷା କରିବେ। ଏଥିପାଇଁ ବହୁତ ସମୟ ଲାଗିବ ବୋଲି କୁହାଯାଉଛି।