ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମରେ ଅନୁଯାୟୀ ବିନା ହୋମରେ କରାଯାଇଥିବା ଶୁଭ କାର୍ଯ୍ୟ ବା ପୂଜା ସମ୍ପନ୍ନ ହୋଇନଥାଏ । ଏହାଦ୍ୱାରା ପରିବେଶ ଶୁଦ୍ଧି ମଧ୍ୟ ହୋଇଥାଏ । ଅନେକ ଅଧ୍ୟୟନରେ କୁହାଯାଇଛି କି, ହୋମ ଦ୍ୱାରା ପରିବେଶରେ ଥିବା ପ୍ରଦୂଷଣରୁ ମୁକ୍ତି ମଧ୍ୟ ମିଳିଥାଏ । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଖରାପ ଘଟଣାକୁ ଟାଳିବା ଏବଂ ମନସ୍କାମନା ପୁରଣ ପାଇଁ ହୋମ କରାଯାଇଥାଏ । ସେହିପରି ହୋମ ଧାର୍ମିକ ମହତ୍ୱ ସହିତ ବୈଜ୍ଞାନିକ ମହତ୍ୱ ମଧ୍ୟ ରହିଛି ।
ଧାର୍ମିକ ମହତ୍ୱ: ହିନ୍ଦୁଧର୍ମରେ ହୋମର ବିଶେଷ ମହତ୍ୱ ରହିଛି । ବିନା ହୋମରେ କୌଣସି କାର୍ଯ୍ୟ ସମ୍ପନ୍ନ ହୋଇନଥାଏ । ଯଦି ବ୍ୟକ୍ତି କୌଣସି ଗ୍ରହ ଦୋଷରେ ପୀଡୀତ ତେବେ ତାଙ୍କୁ ହୋମ କରିବା ଉଚିତ୍ । ଏହାଦ୍ୱାରା ଗ୍ରହ ଦଶା ଶାନ୍ତି ହୋଇଥାନ୍ତି । ହୋମ ଶେଷ ହେବା ପରେ ବ୍ରାହ୍ମଣକୁ ଭୋଜନ କରାଇବା ଉଚିତ୍ । ଏହାସହିତ ଦାନ ମଧ୍ୟ କରିବା ଉଚିତ୍ ।
ସେହିପରି ବାସ୍ତୁ ଦୋଷ ଦୂର କରିବା ପାଇଁ ମଧ୍ୟ ହୋମ କରାଯାଇଥାଏ । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଗୃହ ନିର୍ମାଣ ପାଇଁ ଭୂମି ପୂଜାଠୁ ନେଇ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ହୋମ କରାଯାଇଥାଏ । କାରଣ ଏହାଦ୍ୱାରା ଘରର ପରିବେଶ ଶୁଦ୍ଧ ଓ ପବିତ୍ର ରହିଥାଏ ।
ବୈଜ୍ଞାନିକ ମହତ୍ୱ: ହୋମ ସାମଗ୍ରୀରେ ଚନ୍ଦନକାଠ, ଆମ୍ବ କାଠ, ବେଲ, ନିମ୍ବ, ବର ଛାଲ, ଦେବଦାରୁ ମୂଳ, କର୍ପୂର, ଚାଉଳ, ଯଅ, ଆଦି ବିଭିନ୍ନ ଜିନିଷ ରହିଥାଏ । ଏହି ଜିନିଷ ମାଧ୍ୟମରେ ହୋମରୁ ବାହାରୁଥିବା ଧୂଆଁ ବାୟୁମଣ୍ଡଳକୁ ଶୁଦ୍ଧ କରିଥାଏ । ହୋମରେ ଜଳାଯାଇଥିବା ସମସ୍ତ ସାମଗ୍ରୀ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ବୈଜ୍ଞାନିକଙ୍କ ମତରେ ହୋମରେ ଗୋବର ବ୍ୟବହାର ହୋଇଥାଏ । ଏହାଦ୍ୱାରା ୯୪ ପ୍ରତିଶତ ଜୀବାଣୁ ନଷ୍ଟ ହୋଇଯାଏ । ଏହାସହିତ ହୋମ କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।