ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଋକ୍ମିଣୀ ହରଣ ଏକାଦଶୀ ବିଧି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ଏହି ଅବସରରେ ଦେବ-ବିବାହ ନୀତି ସମ୍ପନ୍ନ ହେବ । ମାଲକ୍ଷ୍ମୀ ସାଜିବେ ଦେବୀ ରୁକ୍ମିଣୀ ଏବଂ ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ ।
ସକାଳ ଧୂପ ବଢିବା ପରେ ପୂଜାପଣ୍ଡା ସେବକ, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକ ମାନେ ଶ୍ରୀଦେବୀଙ୍କୁ ବିଜେ କରାଇ ସାତ ପାହାଚଠାରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରିଥାନ୍ତି । ଏହାପରେ ବିମାନବଡୁମାନେ ପାଲିଙ୍କିକୁ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ଯାଇଥାନ୍ତି । ଏହାପରେ ମହାଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ଶ୍ରୀଦେବୀଙ୍କୁ ପଞ୍ଚାମୃତରେ ସ୍ନାନ କରିବା ଅଳଙ୍କାର ଲାଗି ହୋଇଥାଏ ଏହି ବେଶ ପରେ ତାଳପତ୍ର ଲେଖନୀ ନେଇ ଉପସ୍ଥିତ ହୁଅନ୍ତି ତଢାଉ କରଣ । ଏହିପରି ଅନେକ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଶ୍ରୀମଦନମୋହନ ଶ୍ରୀଦେବୀଙ୍କୁ (ରୁକ୍ମିଣୀ)ଙ୍କୁ ହରଣ କରିବେ । ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ ।