ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ନିର୍ଜଳା ଏକାଦଶୀ । ହିନ୍ଦୁଧର୍ମରେ ନିର୍ଜଳା ଏକାଦଶୀ ବ୍ରତର ଖୁବ୍ ମହତ୍ୱ ରହିଛି । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଏହି ନିର୍ଜଳା ଏକାଦଶୀ ବ୍ରତ ପାଳନ କରାଯାଇଥାଏ ।
ନିର୍ଜଳା ଏକାଦଶୀ ବ୍ରତ ଅତ୍ୟନ୍ତ କଠିନ ବୋଲି କୁହାଯାଇଥାଏ । କାରଣ ଏହି ବ୍ରତରେ ବ୍ରତଧାରୀ ବ୍ରତର ସଂକଳ୍ପରୁ ପାରଣ ପର୍ଯ୍ୟନ୍ତ ଜଳ ଟୋପେ ଗ୍ରହଣ କରନ୍ତି ନାହିଁ । ଏହି ବ୍ରତ ରଖିବା ପାଇଁ ବ୍ରତଧାରୀଙ୍କୁ ଗୋଟେଦିନ ପୂର୍ବରୁ ଅନ୍ନ ତ୍ୟାଗ କରିବାକୁ ପଡିଥାଏ ।
ଶାସ୍ତ୍ର ଅନୁସାରେ, ଜୀବନରେ ମନୁଷ୍ୟକୁ ନିର୍ଜଳା ଏକାଦଶୀ ବ୍ରତ ରଖିବା ନିହାତି ଜରୁରୀ । ଏହି ବ୍ରତକୁ ନିର୍ଜଳା ବ୍ୟତିତ ପାଣ୍ଡବ ଏକାଦଶୀ ବୋଲି ମଧ୍ୟ କୁହାଯାଇଥାଏ । କୁହାଯାଏ କି ମହାଭାରତ କାଳରେ ଭୀମସେନ ଏହି ବ୍ରତର ପାଳନ କରିଥିଲେ ଏବଂ ତାଙ୍କୁ ସ୍ୱର୍ଗଲୋକ ପ୍ରାପ୍ତି ହୋଇଥିଲା ।
ମାନ୍ୟତା ରହିଛି କି ଏକାଦଶୀ ବ୍ରତ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ । ଏହାସହିତ ବ୍ୟକ୍ତିଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ଏହି ବ୍ରତରେ ଭଗବାନ ବିଷ୍ଣୁଙ୍କୁ ବିଧି-ବିଧାନ ସହ ପୂଜା କରାଯାଇଥାଏ ।