କଟକ,(ଏଟିଆର ବ୍ୟୁରୋ): ତେଲ ପରେ ପୁଣି ଠାବ ହେଲା ନକଲି ଡିଜେଲ କାରଖାନା । ଜଗତପୁର ଥାନା ପୁଲିସ ଅଚାନକ ଚଢ଼ାଉ କରି ଏକ ପରିତ୍ୟକ୍ତ ଶୌଚାଳୟ ଭିତରୁ ଏସବୁକୁ ଠାବ କରିଛି । ପାଖାପାଖି ୧ହଜାର ଲିଟରରୁ ଅଧିକ ନକଲି ଡିଜେଲ ଠାବ ହୋଇଛି । ଘଟଣାସ୍ଥଳରୁ ମିଳିଛି ପିଡିଏସ କିରୋସିନି । ତେବେ ଏତେ ପରିମାଣର କିରୋସିନି ଏଠାକୁ କେମିତି ଓ କିଏ ଆଣିଲା ସେନେଇ ଅଧିକ ଖୋଳତାଡ ଜାରି ରହିଛି । ଏହି ଘଟଣାରେ ନାନକାର ଅଞ୍ଚଳର କେଦାରଶ୍ୱର ସ୍ୱାଇଁକୁ ଅଟକ ରଖି ତଦନ୍ତ କରାଯାଉଛି ।
ତେବେ ତଦନ୍ତ ବେଳେ ଏକ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି । ଟ୍ରକ ଟର୍ମିନାଲରେ ରହୁଥିବା ରହୁଥିବା ତେଲ ଟ୍ୟାଙ୍କରରୁ ଡିଜେଲ ଚୋରି କରି ସେଥିରେ କିରୋସିନି ଓ କେମିକାଲ ମିଶାଇ ପ୍ରସ୍ତୁତ କରାଯାଉଥିଲା ନକଲି ଡିଜେଲ । ଏହାପରେ ତାକୁ ମାର୍କେଟରେ ଚଢ଼ାଦରରେ ବିକ୍ରି କରଯାଉଥିବା ଜାଣିବାକୁ ପାଇଛି ପୁଲିସ । ଏତିକି ନୁହେଁ ପୂରା ଘଟଣା ପଛରେ ଏକ ବଡ଼ ର୍ୟାକେଟ କାର୍ଯ୍ୟ କରୁଥିବା ଜଣାପଡିଛି । ର୍ୟାକେଟର ଅନ୍ୟ ସଦସ୍ୟଙ୍କୁ ଗିରଫ କରିବା ଲାଗି ତନାଘନା ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଟ୍ରକ ଟର୍ମିନାଲ ପାଖରୁ ଗତକାଲି ଚଢ଼ାଉ କରି ପୁଲିସ ଏକ ନକଲି ସୋରିଷ ତେଲ କାରଖାନା ଜବତ କରିଥିଲା ।