ପୁରୀ (ଏଟିଆର ବ୍ୟୁରୋ): ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପଇଁ ପୁରୀ ସହରରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ କର୍ଫ୍ୟୁକୁ ଆଗୁଆ ପ୍ରତ୍ୟାହାର କରାଯାଇଛି । ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯାଇଥିଲା । କିନ୍ତୁ ତାହାକୁ ଆଗୁଆ ପ୍ରତ୍ୟାହାର କରାଯାଇଥିଲେ ମଧ୍ୟ ଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତି ଅଞ୍ଚଳରେ ଆସନ୍ତା ୧୪ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଚତୁର୍ଦ୍ଧ ବିଗ୍ରହଙ୍କ ଆଡପ ମଣ୍ଡପ ବିଜେ ନିମନ୍ତେ କିଛିଟା ସ୍ଥାନରେ କର୍ଫ୍ୟୁ ବଳବତ୍ତର ରଖିଛି ପ୍ରଶାସନ ।
କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ୟ୍ୟନ୍ତ ଆସନ୍ତା ୧୪ ତାରିଖ ସକାଳ ୬ ଘଟିକା ପର୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
୧୪ ତାରିଖ ସକାଳ ୬ଟା ଭିତରେ ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ୟ୍ୟାଳୟ ବନ୍ଦ ରହିବ । ସାଧାରଣ ଲୋକଙ୍କ ଯାଆସ ଉପରେ ଜାରି କରାଯାଇଛି କଟକଣା । କେବଳ ସ୍ୱୀକୃତିପ୍ରାପ୍ତ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡି ଗୁଡିକୁ ଯାଆସ ପାଇଁ ଅନୁମତି ରହିଛି । ଏହାକୁ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।