ପୁରୀ (ଏଟିଆର ବ୍ୟୁରୋ): ଜନ୍ମବେଦୀର ଲୀଳାଖେଳା ସରିବା ପରେ ଏବେ ଶ୍ରୀମନ୍ଦିରକୁ ବାହୁଡିଛନ୍ତି ଶ୍ରୀଜିଉ । ରତ୍ନବେଦୀରେ ବିରାଜମାନ କରିଛନ୍ତି ଦାରୁ ବିଗ୍ରହ । ଗତକାଲି ଚତୁର୍ଦ୍ଦଶୀ ତିଥିରେ ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରୀନାଥ । ଆଜିଠୁ ରତ୍ନବେଦୀରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ଏହାସହିତ ଆଜିଠୁ ଶ୍ରୀମନ୍ଦିରରେ ଉପଲବ୍ଧ ହେବ ନୀଳାଚଳ ଅଭଡା । ନୀଳାଚଳ ଅଭଡା ପାଇବ ପାଇଁ ଭକ୍ତଟି ଉତ୍ସାହରେ ସହିତ ଚାହିଁ ବସିଥାଏ ।
ଗତକାଲି ଶ୍ରୀଜିଉଙ୍କ ନୀଳାଦ୍ରୀ ବିଜେ ଅନୁଷ୍ଠିତ ହୋଇଥିଲା । ଗୋଟି ପହଣ୍ଡିରେ ନୀଳକନ୍ଦରକୁ ବିଜେ କରିଥିଲେ ଶ୍ରୀଜିଉ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଲକ୍ଷ୍ମୀ ନାରାୟଣ କଳି ଅନୁଷ୍ଠିତ ହୋଇଥିଲା । ସିଂହଦ୍ୱାର ବନ୍ଦ କରି ମନ୍ଦିର ଭିତରକୁ କାଳିଆ ସାଆନ୍ତଙ୍କୁ ପ୍ରବେଶ କରିବାକୁ ଦେଇନଥିଲେ ମା ଲକ୍ଷ୍ମୀ ସାଆନ୍ତାଣୀ । ଏହାପରେ ପୁଣି କାଳିଆ ସାଆନ୍ତ ମା’ ସାଆନ୍ତାଣିଙ୍କୁ ରସଗୋଲା ଦେଇ ମାନଭଂଜନ କରିଥିଲେ ଏବଂ ମା ସାଆନ୍ତାଣୀ ଦ୍ୱାର ଫିଟାଇଥିଲେ ।