ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ଯାତ୍ରା, ଉତ୍ସବ ଆଦି ପାଳିତ ହୋଇଥାଏ । ସେଥିମଧ୍ୟରୁ ଅନ୍ୟତମ ଚିତାଲାଗି ଅମାବାସ୍ୟା । ଶ୍ରାବଣ ଅମାବାସ୍ୟାକୁ ଚିତାଲାଗି ଅମାବାସ୍ୟା ବୋଲି କୁହାଯାଇଥାଏ । ସେହିପରି ଆଜି ହେଉଛି ଚିତାଲାଗି ଅମାବାସ୍ୟା । ଆଜିର ଦିନରେ ମହାପ୍ରଭୁଙ୍କୁ ସ୍ୱୂର୍ଣ୍ଣ ଚିତା ଲାଗି ହୋଇଥାଏ ।
ଶ୍ରୀମନ୍ଦିରରେ ଏହି ଦିନ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନ ରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି। ଏହାପରେ ଶ୍ରୀଜୀଉମାନଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ। ଏହି ଦିନ ସାଗର ବିଜେ କରିଥିବା ଅମାବାସ୍ୟା ଠାକୁର ଶ୍ରୀମନ୍ଦିର କୁ ବାହୁଡା ବିଜେ କରିବା ପରେ ପତି ମହାପାତ୍ର , ବାଡ଼ଗ୍ରାହୀ ଦଇତା ମାନେ ରତ୍ନସିଂହାସନାଧିଷ୍ଠିତ ଶ୍ରୀଜୀଉ ଙ୍କର ଚିତାଲାଗି କାର୍ୟ୍ୟ କରିଥାନ୍ତି । ତିନୋଟି ସ୍ବର୍ଣ୍ଣ ଚିତା ଶ୍ରୀଜୀଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅ ରେ ପାଟ ଡୋର ସାହାଯ୍ୟରେ ଏହାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ।
ସୂଚନାଯୋଗ୍ୟ ଯେ ଏହି ରତ୍ନଖଚିତ ସ୍ବର୍ଣ୍ଣ ଚିତା କୁ ପୂର୍ବରୁ ଅର୍ଥାତ ସ୍ନାନପୂର୍ଣ୍ଣିମା ଦିନ ରାତ୍ରି ରେ ଶ୍ରୀଜୀଉମାନଙ୍କ ଶ୍ରୀକପାଳ ଦେଶରୁ ଓଲାଗି କରାଯାଇଥାଏ।
ଚଳିତବର୍ଷ କରୋନା କଟକଣା ଯୋଗୁଁ ଚିତାଲାଗି ଅମାବାସ୍ୟାରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ ।