ଚୀନ (ଏଟିଆର ବ୍ୟୁରୋ):ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଚୀନ । ଏହି ଚୀନରେ ଗୋଟିଏ ପ୍ରାଚୀନ ଗାଁ ଅଛି । ମହିଳାମାନଙ୍କ କେଶ ପାଇଁ ଉକ୍ତ ଗାଁଟି ଏକ ପର୍ଯ୍ୟଟକସ୍ଥଳୀ ଭାବେ ପରିଚିତ ହୋଇଛି । ଏହି ଗାଁର ନାମ ‘ହୁଆଙ୍ଗଲୁଓ’ । ଏଠିକାର ମହିଳାମାନଙ୍କ କେଶ ୨ମିଟରରୁ ବି ଅଧିକ ଲମ୍ବା । ସିଲକୀ ଓ ସୁନ୍ଦର କେଶ ପାଇଁ ଏଠିକାର ମହିଳାମାନେ ପରିଚିତ । ଏହି ଗାଁ ‘ଲଙ୍ଗ ହେୟାର ଭିଲେଜ’ ନାମରେ ମଧ୍ୟ ଜଣାଯାଏ ।
ଚୀନର ଏହି ଗାଁର ମହିଳାମାନେ ୧୮ ବର୍ଷ ବୟସରେ ହିଁ କେଶ କାଟିବାକୁ ସୁଯୋଗ ପାଇଥାନ୍ତି । ଯେତେବେଳେ ଏହି ମହିଳାମାନେ ତାଙ୍କ ଜୀବନସାଥି ବାଛିବାକୁ ଯାଆନ୍ତି, ସେତେବେଳେ ତାଙ୍କର ସେହି କଟା ଯାଇଥିବା କେଶକୁ ସ୍କାର୍ପ ଦ୍ୱାରା ଘୋଡାଇ ଦେଇଥାନ୍ତି । ଆଉ ଏହି କେଶକୁ ତାଙ୍କର ଜେଜେମା’ ବାହାଘର ପର୍ଯ୍ୟନ୍ତ ସାଇତି ରଖିଥାନ୍ତି । ଏବଂ ବିବାହ ପରେ ଉକ୍ତ ମହିଳାର କେଶକୁ ତାଙ୍କର ସ୍ୱାମୀକୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଥାଏ ।
ଆଗ କାଳରେ ଏହି ଗାଁର ମହିଳାମାନଙ୍କୁ ତାଙ୍କ କେଶ ଲୋକମାନଙ୍କୁ ଦେଖେଇବା ପାଇଁ ଅନୁମତି ମିଳିନଥିଲା । ତାଙ୍କର କେଶକୁ କେବଳ ସ୍ୱାମୀ ଓ ପିଲାମାନେ ହିଁ ଦେଖୁଥିଲେ । ଯଦି ଭୁଲରେ ବି ଅନ୍ୟ ପରିବାରର କୌଣସି ପୁରୁଷ ବ୍ୟକ୍ତି ଅନ୍ୟ ମହିଳାର କେଶକୁ ଦେଖିଦିଏ, ତେବେ ଉକ୍ତ ବ୍ୟକ୍ତି ଜଣକୁ ତିନି ବର୍ଷ ପାଇଁ ସେହି ମହିଳାର ଜ୍ୱାଇଁ ଭାବେ ତା’ ସହିତ ରହିବାକୁ ପଡିଥାଏ ।
୧୯୮୦ରେ ଚୀନର ଏହି ମହିଳାମାନଙ୍କୁ ଦେଖିବା ପାଇଁ ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଏହି ସ୍ଥାନକୁ ଧାଇଁ ଆସୁଥିଲେ । ଯାହାଫଳରେ ଏଠିକାର ମହିଳାମାନଙ୍କ ପାଇଁ ଫାଇଦା ହୋଇଥିଲା । ଏହାପରେ ମହିଳାଙ୍କ କେଶ ଲୁଚାଇବା ପ୍ରଥା ଧୀରେ ଧୀରେ ଲୋପ ପାଇଥିଲା ।
ଏହି ଗାଁରେ ପ୍ରତିବର୍ଷ ମାର୍ଚ୍ଚ ୩ରେ ‘ଲଙ୍ଗ୍ ହେୟାର ଫେଷ୍ଟିଭାଲ’ ପାଳନ କରାଯାଏ । ଏହି ପର୍ବରେ ମହିଳାମାନେ ନାଚଗୀତ ସହ ତାଙ୍କ ଲମ୍ବା କେଶକୁ ପ୍ରଦର୍ଶନ କରିଥାନ୍ତି । ଏହି ପର୍ଫୋମାନ୍ସ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କର ଭିଡ ଦେଖିବାକୁ ମିଳିଥାଏ । କେବଳ ବିବାହିତ ମହିଳାମାନେ ହିଁ ଏହି ଫେଷ୍ଟିଭାଲରେ ନାଚଗୀତ କରିବାର ସୁଯୋଗ ପାଇଥାନ୍ତି ।
ଏହା ବ୍ୟତୀତ ବିବାହ ପରେ ମହିଳାମାନେ ପ୍ରଥମେ ତାଙ୍କ ସ୍ୱାମୀକୁ ହିଁ କେଶ ଦେଖାଇବାର ଅନୁମତି ରହିଛି । ଏଠିକାର ମହିଳାମାନଙ୍କ ପାଇଁ ତାଙ୍କ କେଶ ସବୁଠାରୁ ମହତ୍ୱପୂର୍ଣ୍ଣ । ଏହି ମହିଳାମାନଙ୍କ କେଶ ୮୦ ବର୍ଷ ପୂର୍ବରୁ ଧଳା ହୁଏ ନାହିଁ ।
କେବଳ ଏତିକି ହିଁ ନୁହେଁ, ଏହି ମହିଳାମାନଙ୍କ ହେୟାର ଷ୍ଟାଇଲ ଦ୍ୱାର ତାଙ୍କ ଜୀବନର ଅନେକ କଥା ଜାଣିବାକୁ ମିଳିଥାଏ । ଚୀନର ଏହି ଗାଁର ମହିଳାମାନେ ‘ଗୀନିଜ ୱାର୍ଲ୍ଡ ରେକର୍ଡ’ରେ ସବୁଠାରୁ ଲମ୍ବାକେଶ ପାଇଁ ନିଜର ସ୍ଥାନ ବନାଇ ପାରିଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏତେ ଲମ୍ବା କେଶ ହେବା କାରଣ କ’ଣ । ତେବେ ଜାଣି ରଖନ୍ତୁ, ଏହି ଗାଁର ମହିଳାମାନେ ଲମ୍ବା କେଶ ପାଇଁ କ’ଣ ବ୍ୟବହାର କରନ୍ତି ।
ପ୍ରାଚୀନ କାଳରେ ଏହି ଗାଁର ମହିଳାମାନେ କେଶ ଧୋଇବା ପାଇଁ ଚାଉଳ ପାଣିକୁ ସାମ୍ପୁ ଭାବେ ବ୍ୟବହାର କରି ନଦୀ ପାଣିରେ ଧୋଉଥିଲେ ।