ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ ସିରିଜ୍ ସମୟରେ ଆଇସିସି ର ର୍ୟାଙ୍କିଂ ରେ ବଡ ପରିବର୍ତ୍ତନ ହୋଇଛି । ଜବରଦସ୍ତ ପ୍ରଦର୍ଶନ କରୁଥିବା ଇଂଲଣ୍ଡର କ୍ୟାପ୍ଟେନ ଜୋ ରୁଟ୍ ଦୁନିଆର ନଂ ୧ ବ୍ୟାଟ୍ସମ୍ୟାାନ ହୋଇଥିବା ବେଳେ ଭାରତୀୟ କ୍ରିକେଟ ଦଳର କ୍ୟାପ୍ଟେନ ବିରାଟ କୋହଲି ଟପ୍ ୫ ରୁ ବାହାର ହୋଇଛନ୍ତି । ସେହିପରି ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟର ଟପ ୫ରେ ସାମିଲ ହୋଇଛନ୍ତି ରୋହିତ ଶର୍ମା ।
ପାଞ୍ଚ ବର୍ଷରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର କ୍ୟାପ୍ଟେନ ବିରାଟ କୋହଲିଙ୍କୁ ଟପ୍ ୫ ରୁ ବାହାର ହେବାକୁ ପଡିଛି । କୋହଲିଙ୍କର ୯ ପଏଣ୍ଟ ହ୍ରାସ ହୋଇ ସେ ୭୬୬ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ପହଁଚିଛନ୍ତି ।
ଓପନର ହେବା ପରେ ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ ଲଗାତର ଭାବେ ଦମଦାର୍ ପ୍ରଦର୍ଶନ କରି ଆସୁଛନ୍ତି । ଦୁଇ ବର୍ଷ ପୂର୍ବେ ଯେତେବେଳେ ରୋହିତ ଶର୍ମାଙ୍କୁ ଟେଷ୍ଟରେ ଓପନିଙ୍ଗ ପାଇଁ ସୁଯୋଗ ଦିଆଯାଇଥିଲା ସେତେବେଳେ ତାଙ୍କର ଟେଷ୍ଟ ର୍ୟାଙ୍କିଂ ୫୩ ଥିଲା । କିନ୍ତୁ ଦୁଇ ବର୍ଷରେ ସେ ଦୁନିଆର ଟପ୍ ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ସେ ୭୭୩ ପଏଣ୍ଟ ସହିତ ପାଞ୍ଚ ନଂ ରେ ରହିଛନ୍ତି ।
ସେହିପରି ବୋଲରଙ୍କ ମଧ୍ୟରେ ଜେମ୍ସ ଏଣ୍ଡରସନ ଏବେ ୫ମ ସ୍ଥାନରେ ପହଁଚିଥିବା ବେଳେ ଅଷ୍ଟ୍ରେଲିଆର ଧୁରନ୍ଦର ବୋଲର ପ୍ୟାଟ କମିଂସ ପ୍ରଥମ ସ୍ଥାନରେ ଏବଂ ଆର ଅଶ୍ୱିନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।