ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଏବେ ଚର୍ଚ୍ଚାରେ ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘କାଶ୍ମୀର ଫାଇଲ’ । କାଶ୍ମୀରୀ ପଣ୍ଡିତଙ୍କ ପ୍ରସଙ୍ଗରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ସମେତ ଅନେକ ସରକାର ଟିକସମୁକ୍ତ କରିଛନ୍ତି। ସେହିପରି ଏବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏହି ଫିଲ୍ମ ଦେଖିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ ଅଧା ଦିନ ଦେବାକୁ ଘୋଷଣା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି, ମୁଁ ଏହା ଘୋଷଣା କରି ବହୁତ ଖୁସି ଯେ ଆମର ସମସ୍ତ ସରକାରୀ କର୍ମଚାରୀଙ୍କୁ କାଶ୍ମୀର ଫାଇଲ ଦେଖିବା ପାଇଁ ଅଧା ଦିନ ଛୁଟି ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ କର୍ମଚାରୀମାନଙ୍କୁ କେବଳ ସେମାନଙ୍କ ଉଚ୍ଚ ଅଧିକାରୀଙ୍କୁ ଜଣାଇବାକୁ ପଡିବ ଏବଂ ଆଗାମୀ ଦିନରେ ଚଳଚ୍ଚିତ୍ର ଟିକେଟ ଜମା କରିବାକୁ ପଡିବ।
ସୂଚନାଯୋଗ୍ୟ , ଏହା ପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ଫିଲ୍ମ ଦେଖିବା ପାଇଁ ରାଜ୍ୟ ପୋଲିସ୍ କର୍ମଚାରୀଙ୍କୁ ଛୁଟି ଦେବାକୁ ଘୋଷଣା କରିଥିଲେ।