ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଅସମ୍ଭାଳ ତାତି । ଡହଡହ ଖରା ସାଙ୍ଗକୁ ପ୍ରବଳ ଗରମରେ ସିଜୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ଆଭ୍ୟନ୍ତରୀଣ ଓଡିଶାରେ ଆହୁରୀ ତାପମାତ୍ରା ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ ସତର୍କ କରିଛି । ସ୍ୱାଭାବିକଠୁ ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ।
ଶନିବାର ରାଜ୍ୟର ୧୩ଟି ସହରରେ ୩୯ ଡିଗ୍ରୀ ଉପରେ ତାପମାତ୍ରା ରହିଥିଲା । ସେଥିମଧ୍ୟରୁ ଅଧିକାଂଶ ଜିଲ୍ଲା ଆଭ୍ୟନ୍ତରୀଣ ଓଡିଶାର ରହିଥିଲା । ଏହାସହିତ ବଲାଙ୍ଗୀର ଓ ବୌଦ୍ଧ ସବୁଠୁ ଉତ୍ତପ୍ତ ଜିଲ୍ଲା ହୋଇଥିଲା । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ରହିଥିଲା ।
ଅନ୍ୟପଟେ ରବିବାର କିଛି ଜିଲ୍ଲାର ତଥା ରାୟଗଡା, ଗଜପତି, କୋରାପୁଟ, ମାଲକାନଗିରି, ଗଞ୍ଜାମ, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ କାଳ ବୈଶାଖି ହେବାର ସମ୍ଭାବନା ରହିଛି ।