ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ଖରା ତାତି । କଲବଲ କରୁଛି ଖରା । ଡହଡହ ଖରା ସାଙ୍ଗକୁ ଅସମ୍ଭାଳ ଗରମ । ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଦିନ ୯ଟା ପରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି ।
ଗତକାଲି ରାଜ୍ୟର ପ୍ରାୟ ୧୭ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ସୋନପୁରରେ ସର୍ବାଧିକ ତାତି ରେକର୍ଡ କରାଯିବା ସହ ଏହା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ସୋନପୁରରେ ସର୍ବାଧିକ ୪୪.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୧୮ ଯାଏଁ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହାସହିତ ଆଭ୍ୟନ୍ତରୀଣ ଓଡିଶାରେ ଅସହ୍ୟ ତାତି ଅନୁଭୂତ ହୋଇପାରେ ।