ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ପାଳିତ ହେଉଥିବା ପର୍ବ ମଧ୍ୟରୁ ରଜ ପର୍ବ ଅନ୍ୟତମ । ଏହା ଓଡିଶାର ଗଣ ପର୍ବ । ଖୁସୀ ମନେଇବା ଓ ସଜେଇ ହେବାର ପର୍ବ । ସେହିପରି ଆଜି ହେଉଛି ପହିଲି ରଜ । ପୁର ପଲ୍ଲୀଠୁ ନେଇ ସହର ଯାଏଁ ସବୁଠି ଉତ୍ସାହର ମାହୋଲ । ଚାଲିଛି ରଜ ମଉଜ । ଘରେ ଘରେ ମହକୁଛି ପିଠା ମିଠାର ବାସ୍ନା ।
କୁଆଁରୀ ଝିଅ ଓ ବୋହୂ ମାନେ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦୀ ପାଦରେ ଅଳତା ଲଗାଇ ଦୋଳିରେ ଝୁଲି ଗୀତ ଗାଉଛନ୍ତି । ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟୁ ଲୋ ଦିଶେ ଭାରି ଝଟଝଟ । ଏହି ଗୀତରେ କମ୍ପୁଛି ପରିବେଶ ।
ରଜ ପର୍ବରେ ପାନ ଖାଇବାର ମଜା ନିଆରା । ପିଲାଠାରୁ ବୁଢ଼ା ସମସ୍ତେ ରଜ ପାନ ଖାଇ ପାଟି ଲାଲ କରି ତାସ ଏବଂ ଲୁଡୁ ଖେଳି ମଜା ନେଇଥାନ୍ତି । ଏହି ପର୍ବରେ ସମସ୍ତଙ୍କ ଘରେ ପୋଡ ପିଠା କରାଯାଇଥାଏ । ବର୍ଷରେ ଯେତେଥର ପୋଡପିଠା ଖାଇଲେ ସୁଦ୍ଧା ରଜରେ ଏହାର ମଜା ଦ୍ୱିଗୁଣିତ ହୋଇଯାଇଥାଏ ।