ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଲୋକେ ବଜାରରୁ ସପ୍ତାହେ ପାଇଁ ପରିବା ଆଣି ଦିଅନ୍ତି । ଏହାଦ୍ୱାରା ସମୟ ବଞ୍ଚି ଯାଏଁ ଏବଂ ବାରମ୍ବାର ବଜାରକୁ ଯିବାକୁ ପଡେନି । କିନ୍ତୁ ପରିବା ଗୁଡିକୁ ସଠିକ ସମୟରେ ବ୍ୟବହାର ନକରିବା ଦ୍ୱାରା ତାହା ନଷ୍ଟ ହୋଇ ଯାଇଥାଏ । ଏହାସହିତ ଖରାଦିନେ ପରିବା ଗୁଡିକ ସୁଖି ଯାଏ କିମ୍ବା ପଚି ଯାଏ । କିନ୍ତୁ ଏଗୁଡିକୁ ଫ୍ରିଜରେ ଷ୍ଟୋର କରି ତାଜା ରଖାଯାଇ ପାରିବ । କିଛି ଏଭଳି ପରିବା ରହିଛି ଯାହା ଉପରେ ଅଧିକ ଧ୍ୟାନ ରଖିବା ଉଚିତ୍ । ଯେପରିକି ଭେଣ୍ଡି । ଏହା ବହୁତ ଶୀଘ୍ର ନଷ୍ଟ ହୋଇଥାଏ । ଯଦି ଆପଣ ଅଧିକ ମାତ୍ରାରେ ଭେଣ୍ଡି ଘରକୁ ଆଣିଛନ୍ତି ତାକୁ ସଠିକ ଉପାୟରେ ଷ୍ଟୋର କରିବା ଦ୍ୱାରା ଏହା ବହୁତ ଦିନ ଯାଏଁ ସତେଜ ରହିଥାଏ । ତେବେ ଆସନ୍ତୁ ଜାଣିବା..
– ଭେଣ୍ଡିକୁ ଯଦି ବହୁତ ସମୟ ପର୍ଯ୍ୟନ୍ତ ତାଜା ରଖିବାକୁ ଚାହୁଁଛନ୍ତି ତେବେ ସବୁଠୁ ଜରୁରୀ ଭେଣ୍ଡି କିଣିବା ସମୟରେ କିଛି କଥା ପ୍ରତି ଧ୍ୟାନ ରଖନ୍ତୁ । ଭେଣ୍ଡି ନରମ ରହିବା ଉଚିତ୍ । ଏହାସହିତ ସେଥିରେ ଯେପରି ଅଧିକ ମାତ୍ରାରେ ମଞ୍ଜି ନଥିବ । ଏଭଳି ଭେଣ୍ଡିକୁ ବହୁତ ସମୟ ଯାଏଁ ଷ୍ଟୋର କରି ରଖି ପାରିବେ ।
– ବଜାରରୁ ଭେଣ୍ଡି କିଣିକି ଘରକୁ ଆଣିବା ପରେ ତାକୁ ଖେଳେଇକି ସୁଖେଇ ଦିଅନ୍ତୁ । ଏହାଦ୍ୱାରା ଭେଣ୍ଡିରେ ଲାଗିଥିବା ପାଣି ଶୁଖିଯିବ । ଏଥିରେ ପାଣି ରହିବା ଦ୍ୱାରା ଏହା ବହୁତ ଶୀଘ୍ର ନଷ୍ଟ ହୋଇଯାଏ ।
– ସୁଖିଲା କପଡାରେ ଭେଣ୍ଡିକୁ ଗୁଡାଇ ଏୟାରଟାଇଟ କଣ୍ଟେନରରେ ରଖନ୍ତୁ । ଏହାଦ୍ୱାରା ଭେଣ୍ଡି ଶୀଘ୍ର ଖରାପ ହେବ ନାହିଁ ।
– ଯଦି ଭେଣ୍ଡିକୁ ଫ୍ରିଜରେ ରଖିବାକୁ ଚାହୁଁଛନ୍ତି ତେବେ ତାକୁ ପଲିଥିନ୍ କିମ୍ବା ଭେଜିଟେବୁଲ ବ୍ୟାଗରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ । ପଲିଥିନକୁ ୩, ୪ ଯାଗା କଣା କରି ଦିଅନ୍ତୁ ।
– ଫ୍ରିଜର ପରିବା ବାସ୍କେଟ ରେ ଯଦି ଭେଣ୍ଡି ରଖିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ପରିବା ବାସ୍କେଟରେ ପେପର ବିଛାଇ ଦିଅନ୍ତୁ । ଏହାପରେ ଗୋଟି ଗୋଟି ଭେଣ୍ଡିକୁ ରଖନ୍ତୁ । ଏହାଦ୍ୱାରା ଭେଣ୍ଡିରୁ ପାଣି ବାହାରି ପେପରକୁ ଯିବ ଏବଂ ଭେଣ୍ଡି ତାଜା ରହିବ ।