ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱରେ ଏବେ ସୁଧା ୧୮ ହଜାରରୁ ଅଧିକ ଲୋକ ମଙ୍କିପକ୍ସ ସଂକ୍ରମଣ ସଂସ୍ପର୍ଶରେ ଆସିଥିବା ବେଳେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିଛି । ଏହି ସଂକ୍ରମଣକୁ ନେଇ ଭାରତରେ ମଧ୍ୟ ସମସ୍ତ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ଏହି ସଂକ୍ରମଣ ନେଇ କିଛି ରାଜ୍ୟ ଗୁଡିକ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଦେଇଛନ୍ତି । ଝାଡଖଣ୍ଡ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଞ୍ଚି ସମେତ ପୁରା ରାଜ୍ୟରେ ସମସ୍ତ ସିଭିଲ ସର୍ଜନ ମାନଙ୍କୁ ଏନେଇ ପରାମର୍ଶ ଦିଆଯିବା ସହ ହସ୍ପିଟାଲ ଗୁଡିକରେ ଆଇସୋଲେସନ ବ୍ୟବସ୍ଥା କରିବାକୁ କୁହାଯାଇଛି ।
ସେହିପରି ଏହି ମଙ୍ଗିପକ୍ସ ନେଇ ଉତ୍ତରାଖଣ୍ଡ ସରକାର ସତର୍କ ରହିଥିବା ବେଳେ ମଙ୍କିପକ୍ସ ଲକ୍ଷଣ ଯୁକ୍ତ ବିଦେଶ ଫେରନ୍ତାଙ୍କୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜୟପ୍ରକାଶ ନାରାୟଣ ହସ୍ପିଟାଲ ନିଆଯିବା ପାଇଁ ପରାମର୍ଶ ଜାରୀ କରିଛନ୍ତି ଦିଲ୍ଲୀ ସରକାର ।
ଅନ୍ୟପଟେ ମଧ୍ୟପ୍ରଦେଶ, ବିହାର ଓ ଉତ୍ତରପ୍ରଦେଶ ସରକାର ମଧ୍ୟ ନିଜ ନିଜ ସ୍ୱାସ୍ଥ୍ୟ ବିଭାଗକୁ ସତର୍କ ସୂଚନା ଜାରି କରିଛନ୍ତି ।