ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଲଗାଣ ବର୍ଷା ଫଳରେ ବନ୍ୟା ହେବାର ଆଶଙ୍କା ଦେଇଛି । ଖାସ ଏଥିପାଇଁ ଜାରି ହୋଇଛି ଆର୍ଲଟ । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ୬ଟି ଜିଲ୍ଲାକୁ ଆର୍ଲଟ ଜାରି କରିଛନ୍ତି । ସେଗୁଡିକ ମଧ୍ୟରେ ରହିଛି କଟକ, ଖୋର୍ଦ୍ଦା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀ ଗୁଡିକ ଫୁଲୁଛି ।
ଆସନ୍ତା କାଲି ଅପରାହ୍ଣ ସୁଦ୍ଧା ମହାନଦୀରେ ପ୍ରାୟ ସାଢ଼େ ୭ଲକ୍ଷରୁ ୮ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହୋଇପାରେ । ଫଳରେ ମହାନଦୀ ଓ ତା’ର ଶାଖାନଦୀରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ଦେଖାଦେଇଛି । ତେଣୁ ପୂରା ଘଟଣା ଉପରେ ସଜାଗ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି । ବିଶେଷ କରି ଦୁର୍ବଳ ନଦୀ ବନ୍ଧ ଓ ସମ୍ବେଦିନଶୀଳ ସ୍ଥାନ ଗୁଡିକୁ ଚିହ୍ନଟ କରି ଉଚିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଠିକ ସମୟରେ ଉପରମୁଣ୍ଡକୁ ନେବା ଲାଗି ଯୋଜନା ପସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ବନ୍ୟା ସ୍ଥିତି ହେଲେ ଦେଶୀ ଡଙ୍ଗା, ବୋଟ, ଜେନେରେଟର, ଟାୱାର ଲାଇଟ ଗାଡି ଆଦି ପସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ରିଲିଫ କମିଶନର ଜଣାଇଛନ୍ତି । ସେପଟେ ଏନେଇ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ଆବଶ୍ୟକ ସରଞ୍ଜାମ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଡି ଗୁଡିକ ଯାତାୟତରେ ନିୟନ୍ତ୍ରଣ ରଖିବାକୁ ଆରଟିଓକୁ ମଧ୍ୟୟ ପରାମର୍ଶ ଦେଇଛନ୍ତି କମିଶନର । ପୂରା ପରିସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି ।