ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାରମ୍ବାର ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କନଫର୍ମ ଟିକେଟ ମିଳିବ ଏକ ଟାସ୍କ ସହ ସମାନ । କନଫର୍ମ ଟିକେଟ ପାଇଁ କିଛି ଲୋକ ଯୁଗାଡ ଉପାୟ ଆପଣାଇଥାନ୍ତି । ଏହାସହିତ କନଫର୍ମ ଟିକେଟ ନେଇ ଇଂଟରନେଟରେ ଅନେକ ତଥ୍ୟ ସେୟାର କରାଯାଇଥାଏ । କିଛି ଲୋକଙ୍କ କହିବାନୁଯାୟୀ ଇ-ଟିକେଟ ଏବଂ ଆଇ-ଟିକେଟ କରିବା ଦ୍ୱାରା ମଧ୍ୟ ଅନେକ ତଫାତ ଆସିଥାଏ ଏବଂ କନଫର୍ମ ଟିକେଟ ମିଳିବା ସହଜ ହୋଇଥାଏ ।
ପ୍ରଥମେ ଆସନ୍ତୁ ଜାଣିବା ଇ-ଟିକେଟ ଏବଂ ଆଇ-ଟିକେଟ କଣ । ଆଇଆରସିଟିସି ୱେବସାଇଟରୁ ଇ-ଟିକେଟ କରାଯାଇଥାଏ । ଏହି ଟିକେଟର ପ୍ରିଣ୍ଟ ଆପଣ ଯେତେବେଳେ ଚାହିଁଲେ ବାହାର କରିପାରିବେ । ଅବଶ୍ୟ ଏବେ ପ୍ରିଣ୍ଟେଡ ଟିକେଟର ଆବଶ୍ୟକତା ନାହିଁ । ସେହିପରି ଆଇ-ଟିକେଟ ମଧ୍ୟ ଆଇଆରସିଟିସି ୱେବସାଇଟରୁ ବୁକ କରାଯାଏ । ଏହାର ପ୍ରିଣ୍ଡ ରେଲୱେ ପକ୍ଷରୁ ଘରକୁ ପଠାଯାଏ । ଏଥିପାଇଁ ଅଲଗା ଚାର୍ଜ ଦେବାକୁ ପଡେ । ଏହି ଟିକେଟ ଯାତ୍ରାର କିଛି ଦିନ ପୂର୍ବରୁ ବୁକ୍ କରିବାକୁ ପଡେ ।
ଏହି ଦୁଇଟି ଟିକେଟ ମଧ୍ୟରୁ କେଉଁଟି ଆଗ କନଫର୍ମ ହୁଏ ସେନେଇ ଲୋକଙ୍କ ମନରେ ଦ୍ୱନ୍ଦ ରହିଥାଏ । ଆମେ ଏଠି କହି ରଖୁଛୁ କି ଆଇ-ଟିକେଟ ଏବଂ ଇ-ଟିକେଟ ସହ ୱେଟିଙ୍ଗ ଲିଷ୍ଟ କ୍ଲିୟର ହେବାର କୌଣସି ସଂଯୋଗ ନାହିଁ । କ୍ୟାନସୋଲେସନ ଆଧାରରେ ଟ୍ରେନ ଟିକେ କନଫର୍ମ ହୋଇଥାଏ । ବାସ୍ତବରେ ଟ୍ରେନ ଟିକେଟ ବୁକ୍ କରିବାର ସିଷ୍ଟମ ଭିନ୍ନ । ଯଦି ଆପଣ କନଫର୍ମ ଟିକେଟ ବିଷୟରେ ଭାବିକି ଇ-ଟିକେଟ ବା ଆଇ-ଟିକେଟ କରୁଛନ୍ତି ତେବେ ଏଭଳି କରାଯାଏ ନାହିଁ ।
ସେହିପରି ଯଦି ଇ-ଟିକେଟ କନଫର୍ମ ନହୁଏ ତେବେ ଆପଣ ଟ୍ରେନରେ ଯାତ୍ରା କରିପାରିବେ ନାହିଁ କିନ୍ତୁ ଯଦି ଆଇ-ଟିକେଟ କନଫର୍ମ ନହୁଏ ତେବେ ରେଲୱେ ଦ୍ୱାରା ପଠାଯାଇଥିବା ଟିକେଟ ଜରିଆରେ ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଏହି ଟିକେଟ ରିଜର୍ଭେସନ କାଉଣ୍ଟରରେ ବୁକ୍ କଲା ଭଳି ମାନ୍ୟ ହୋଇଥାଏ ।