ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ବା ଷଷ୍ଠୀ ଓଷା । ଏହା ଓଡିଶାର ଏକ ପାରମ୍ପରିକ ଓଷା । ଗଣେଶ ପୂଜାର ଦୁଇ ଦିନ ପରେ ଏହି ଓଷା ପାଳନ କରାଯାଏ । ଷଷ୍ଠୀ ଠାକୁରାଣୀଙ୍କୁ ଜନ୍ମଦେବୀ ବୋଲି କୁହାଯାଏ । ସେଥିପାଇଁ ମା ମାନେ ଷଠୀ ଦେବୀଙ୍କୁ ପୂଜା କରିଥାନ୍ତି । ପିଲାଙ୍କ ଭଲ ମନ୍ଦ ପାଇଁ ଏହି ପୂଜା କରାଯାଇଥାଏ ।
ଏହି ଓଷାରେ ଶିଳ ପୁଆକୁ ହଳଦି କନାରେ ବନ୍ଧାଯାଏ ଓ ତା ଉପରେ ହଳଦୀ ରଖାଯାଏ । ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ସଂଗ୍ରହ କରି ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣକୂମ୍ଭ ଏବଂ ତା ପାଖରେ ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ରଖାଯାଏ । ଦୁବ, ବରକୋଲି ପତ୍ର ଓ ଅରୁଆ ଚାଉଳରେ ଘରେ ଥିବା ମା ଏବଂ ଅନ୍ୟାନ୍ୟ ସ୍ତ୍ରୀ ଲୋକ ଗୁରୁଜନ ମାନେ ଲଘୁଜନ ମାନଙ୍କୁ ବନ୍ଦାପନା କରନ୍ତି । ଏହାପରେ ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।
ଏହି ଓଷାରେ ଭାତ, ଡାଲି ମାଛ ଭଜା, ଚକୁଳି ପିଠା,ଦୁଇ ପ୍ରକାରର ନିରାମିଶ ତରକାରି ଆଦି ଛଅ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇ ଭୋଗରେ ମାଙ୍କଠାରେ ଲଗାଯାଇଥାଏ ।