ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରାବଣ ମାସ ଆରମ୍ଭ ହୋଇଗଲାଣି । ଶିବ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ଭକ୍ତମାନେ ଭଗବାନ ଶିବ ଏବଂ ମା’ ପାର୍ବତୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଏହି ମାସରେ ଭଗବାନ ଶିବଙ୍କୁ ଭକ୍ତିର ସହ ପୂଜା କରିଥାନ୍ତି ଭକ୍ତ । ଏବଂ ମାସ ସାରା କାଉଡି ଯାତ୍ରା ଚାଲିଥାଏ । ଏହି ସମୟରେ ଏଭଳି ଏକ ବାବା କାଉଡି ଯାତ୍ରାରେ ବାହାରିଛନ୍ତି । ଯାହାଙ୍କୁ ଦେଖିଲା ପରେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେହି ବାବା ହେଉଛନ୍ତି ଗୋଲ୍ଡେନ ବାବା । ସେ ତାଙ୍କ ବେକରେ ୨୦ କିଲୋଗ୍ରାମ ଓଜନର ସୁନା ପକାଇ କାଉଡି ଯାତ୍ରାରେ ବାହାରିଛନ୍ତି । ଯାହାର ହାରାହାରି ମୂଲ୍ୟ ୬ କୋଟି ବୋଲି ଆକଳନ କରାଯାଇଛି ।
ଖବରମୁତାବକ ଶିବ ଭକ୍ତ ଗୋଲ୍ଡେନ ବାବାଙ୍କ ସୁନା ଆଭୁଷଣ ପ୍ରତ୍ୟେକ ବର୍ଷ ବଢିବାରେ ଲାଗିଛି । ୨୦୧୬ରେ ସେ ୧୨ କିଲୋଗ୍ରାମର ସୁନା ପିନ୍ଧି ଯାତ୍ରା କରିଥିଲେ, ସେହିଭଳି ୨୦୧୭ରେ ୧୪.୫ କିଲୋଗ୍ରାମ । ଏବଂ ଚଳିତ ବର୍ଷ ୨୦ କିଲୋଗ୍ରାମର ସୁନା ପିନ୍ଧି ଯାତ୍ରାରେ ବାହାରିଛନ୍ତି ।
ଗୋଲ୍ଡେନ ବାବାଙ୍କ ସ୍ୱତନ୍ତ୍ର ସୁରକ୍ଷା ନିମନ୍ତେ ୨୫ ଜଣ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ବାବା ଉତ୍ତରାଖଣ୍ଡର ହରିଦ୍ୱାର ଠାରୁ ଯାତ୍ରା ଆରମ୍ଭ କରିଛନ୍ତି । ଏଥରକ ସେ ଯାତ୍ରାର ସିଲଭର ଜୁବଲି ମନାଉଛନ୍ତି । ବାବାଙ୍କର ଅସଲି ନାମ ହେଉଛି ସୁଧୀର କୁମାର ମାକଡ ।
ଏନେଇ ଗୋଲ୍ଡେନ ବାବା କହିଛନ୍ତି ଯେ, ମୁଁ ମୋର ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଏଭଳି ସୁନା ପିନ୍ଧୁଥିବି । ଯେତେବେଳେ ଦୁନିଆ ଛାଡି ଚାଲିଯିବି ସେତେବେଳେ ମୋ ପସନ୍ଦର ଶିଷ୍ୟ ଏହି ସୁନାର ଭାଗିଦାରୀ ହେବେ ।