ପୁରୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡଠାକୁର ବଳଭଦ୍ର । ଏନେଇ ନିଆଳିର ମାଧବାନନ୍ଦ ଜିୟୁ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ପଠାଗଲା ପ୍ରଥମାଷ୍ଟମୀ ଭାର ।
ଉତ୍କଳୀୟ ପରମ୍ପରା ଅନୁଯାୟୀ ବାରମାସରେ ପାଳିତ ହୁଏ ତେର ପର୍ବ । ସେଥି ମଧ୍ୟରୁ ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପଥମାଷ୍ଟମୀ । ଏହିଦିନ ଘରର ଜ୍ୟେଷ୍ଠମାନେ ପୋଢୁଆଁ ହୋଇଥାନ୍ତି । ସେହିଦିନ ଜ୍ୟେଷ୍ଠମାନେ ନବବସ୍ତ୍ର ପରିଧାନ କରିବା ସହ ଘରେ ପିଠାପଣା ଭୋଗରାଗ ଆଦି କରାଯାଇଥାଏ । ପରମ୍ପରା ଅନୁଯାୟୀ ସେମାନଙ୍କ ପାଇଁ ମାମୁଁ ଘରୁ ନବବସ୍ତ୍ର ଆସିଥାଏ । ଏହି ସମାନ ନୀତି ଦେବାଦେବୀ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଥାଏ । ସେହିଅନୁଯାୟୀ ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡଠାକୁର । ସେଥିପାଇଁ ତାଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ସ୍ଥିତ ମାଧବାନନ୍ଦ ଜିୟୁଙ୍କ ପୀଠରୁ ଶ୍ରୀଜିଉଙ୍କ ପାଇଁ ଆସିଛି ପୋଢୁଆଁ ଭାର ।