ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଜି ୬୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍ । ୱାଲାବି ଖୁଆଡ ଲୋକାର୍ପିତ ହେବା ସହ ଖୁଆଡରେ ୨ଟି ୱାଲବି ଛଡାଯିବ । ଏହାସହିତ କାସ୍ୱାରୀ ଓ ଓଟପକ୍ଷୀଙ୍କୂ ନୂତନ ଖୁଆଡରେ ଛଡାଯିବ । ନନ୍ଦନକାନନର ବାର୍ଷିକ ପୁସ୍ତିକା, କାଲେଣ୍ଡର, ନନ୍ଦନକାନନ ସଙ୍ଗୀତ, ମନିଟରିଙ୍ଗ ଆପ୍, ବଟାନିକାଲ ଗାର୍ଡେଡ଼ର ୱେବସାଇଟ, ୬ଟି ବାଘ ଓ ୬ଟି ସିଂହ ଶାବକଙ୍କ ନାମକରଣ କରାଯିବା ସହ ବଟନିକାଲ ଗାର୍ଡେନରେ ବାଉଁଶ ଉଦ୍ୟାନ ଓ ହାଇଡ୍ରୋଫାଇଟ ଉଦ୍ୟାନ ଲୋକାର୍ପିତ ହେବ ।
୧୯୬୦ ରେ କିଛି ଜୀବଜନ୍ତୁଙ୍କୁ ନେଇ ପ୍ରତିଷ୍ଠା ହୋଇଥିବା ନନ୍ଦନକାନନରେ ବର୍ତ୍ତମାନ ୧୬୩ ପ୍ରଜାତିର ୪୧୭୫ ଜୀବଜନ୍ତୁ ଅଛନ୍ତି । ୧୯୬୩ ମସିହାରେ ଉଭିଦ ଉଦ୍ୟାନ ଖୋଲାଯାଇଥିଲା । ୧୯୬୪ ମସିହାରେ କଲିକତାର ଆଲିପୁର ଚିଡିଆଖାନାରୁ ଗୋଟିଏ ବାଘ, ଦୁଇଟି ଆଫ୍ରିକୀୟ ସିଂହ, ଦୁଇଟି ମଗର ଓ ଗୋଟେ ପୁମା ଅଣାଯାଇଥିଲା । ୧୯୮୧ ମସିହାରେ ଏହି ଚିଡିଆଖାନାକୁ ନନ୍ଦନକାନନ ଜୀବ ଛଦ୍ୟାନ ଭାବେ ନାମିତ କରାଗଲା ।