ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପି.ଏମ୍. ୟୁବା ମେଣ୍ଟରସିପ୍- ୨.୦ ଯୋଜନାରେ ମନୋନୀତ ହୋଇଛନ୍ତି ଉଦୀୟମାନ ଯୁବଲେଖିକା ରୋଜାଲୀନ ମହାନ୍ତି। ଏହି ଯୋଜନାରେ ଶ୍ରୀମତୀ ମହାନ୍ତି ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ସର୍ବମୋଟ ତିନିଲକ୍ଷ ଟଙ୍କା ପାଇବେ। ଏଥିସହ ତାଙ୍କର ପାଣ୍ଡୁଲିପିଟି ନେସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶ ପାଇବ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୂଦିତ ହେବ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବଲେଖକଙ୍କ ଠାରୁ ପାଣ୍ଡୁଲିପି ଆହ୍ୱାନ କରାଯାଇଥିଲା। ‘ଗଣତନ୍ତ୍ର’ ବିଷୟକୁ ନେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉପରେ ଲିଖିତ ଶ୍ରୀମତୀ ମହାନ୍ତିଙ୍କ ପାଣ୍ଡୁଲିପିଟି ମନୋନୀତ ହୋଇଛି। ୧୦ ଫେବୃଆରୀ ଦିନ ଏନ୍. ବି.ଟି. ଦ୍ଵାରା ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ୱାର୍ଲ୍ଡ ବୁକ୍ ଫେୟାରରେ ସମସ୍ତ ଯୁବଲେଖକଙ୍କୁ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦାନ ସହ ୧୧ ଫେବୃଆରୀରେ ରାଷ୍ଟ୍ରପତିଙ୍କ ସହ ଭେଟ ଏବଂ ଭାବ ବିନିମୟର ସୁଯୋଗ ଦିଆଯାଇଥିଲା।
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସିଦ୍ଧପୋଖରୀ ଗ୍ରାମର କୁମରବର ମହାନ୍ତି ଓ ସ୍ଵର୍ଗତ ସୁଧାଂଶୁବାଳା ମହାନ୍ତିଙ୍କ ସୁକନ୍ୟା ରୋଜାଲୀନ ଗଳ୍ପ, କବିତା ରଚନା ସହ ଆକାଶବାଣୀ ଓ ଦୂରଦର୍ଶନ ଉପସ୍ଥାପିକା ଭାବେ ମଧ୍ୟ କାର୍ୟ୍ୟ କରିସାରିଛନ୍ତି। ସାମ୍ବାଦିକତାରେ ସ୍ନାତକତ୍ତୋର କରିଥିବା ରୋଜାଲୀନ ପୂର୍ବରୁ “ସମ୍ବାଦ” ଖବରକାଗଜରେ ମଧ୍ୟ କାମ କରିଛନ୍ତି। ସାହିତ୍ୟ ସାଧନା ପାଇଁ ସେ କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ନବଉନ୍ମେଷ ପୁରସ୍କାର ପାଇବା ସହ ବିଭିନ୍ନ ସାହିତ୍ୟ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି। ସମ୍ପ୍ରତି ଭୁବନେଶ୍ୱରରେ ଅବସ୍ଥାନ କରୁଥିବା ବେଳେ ସେ ମୟୁରଭଞ୍ଜର କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗାଳ୍ପିକ ଡା. ଦିଲ୍ଲୀପ ବେହେରାଙ୍କୁ ବିବାହ କରିଛନ୍ତି। ଦେଶର ବିଭିନ୍ନ ଭାଷାରୁ ମନୋନୀତ ମୋଟ ୪୪ ଜଣ ଲେଖକଙ୍କ ମଧ୍ୟରେ ଶ୍ରୀମତୀ ମହାନ୍ତି ଏକମାତ୍ର ଓଡ଼ିଆ ଲେଖକ ହିସାବରେ ନିର୍ବାଚିତ ହେଇଛନ୍ତି।