ଏଟିଆର ବ୍ୟୁରୋ: ଦୁନିଆରେ ଏମିତି କିଛି ସ୍ଥାନ ରହିଛି ଯେଉଁଠିକି ଲୋକେ ବୁଲିବାକୁ ଯିବା ତ ଦୂରର କଥା, ନାଁ ଶୁଣି ଡରିଯାଆନ୍ତି।
ସେହି ସ୍ଥାନର କାହାଣୀ ଆଜିମଧ୍ୟ ରହସ୍ୟମୟ ହୋଇ ରହିଛି । ସେହିପରି ଏକ ସୁନ୍ଦର ବଗିଚାର ଖତରନାକ ରହସ୍ୟ ରହିଛି। ସେହି ବଗିଚାକୁ ଯିଏ ଥରେ ଯାଏ, ସେ ଆଉ ଜୀବିତ ଫେରେନାହିଁ ।
ୟୁକେର ନର୍ଥମ୍ବରଲାଣ୍ଡରେ ‘ ଦ ଅଲୱିକ ଗାର୍ଡେନ’ ନାମକ ଏକ ଗାର୍ଡେନ ରହିଛି। ଏହା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବଗିଚା। ଏହି ବଗିଚାକୁ ଥରେ ଯିଏ ଯାଏ ଆଉ ଜୀବିତ ଫେରେନାହିଁ। ଏହାର ନାମ ଶୁଣି ମଧ୍ୟ ଅନେକ ପର୍ଯ୍ୟଟକ ସେଠାକୁ ଯିବାକୁ ଭୟ କରନ୍ତି। ତେବେ ଭୁଲରେ ମଧ୍ୟ ଏହା ମଧ୍ୟକୁ ଏକୁଟିଆ ଯିବା କଥା ନୁହେଁ ।
ଏଠାରେ ରଙ୍ଗ ବେରଙ୍ଗର ଗଛ, ସୁନ୍ଦର ଗୋଲାପ, ଜଳ ଫୁଆରା(ଫାଉଣ୍ଟେନ), ପକ୍ଷୀଙ୍କ ରାବ ପର୍ଯ୍ୟଟକଙ୍କୁ ଖୁବ୍ ଆକର୍ଷିତ କରିଥାଏ। କିନ୍ତୁ ଏଠାକୁ ଯିବାକୁ ଲୋକେ ଭୟ କରନ୍ତି। କାରଣ ଏହି ବଗିଚା ଏବେ ବିଷ ବଗିଚା ନାମରେ ନାମିତ। ଅଲୱିକ ଗାର୍ଡେନରେ ପଶିବା ପୂର୍ବରୁ ମୁଖ୍ୟ ଦ୍ବାରରେ ସ୍ପଷ୍ଟ ଭାବେ ଚେତାବନୀ ଦିଆଯାଇଛି କି ଏହି ବଗିଚାର ଫୁଲକୁ ସୁଙ୍ଘିବା କିମ୍ବା ଛିଡ଼ାଇବା ମନା । ଏହି ବଗିଚାକୁ ଯିବା ବେଳେ ଯଦି ସାମାନ୍ୟ ଭୁଲ ହୋଇଯାଏ ତେବେ ଆପଣଙ୍କ ଜୀବନ ଚାଲି ଯାଇପାରେ ।
ପାଖାପାଖି ୧୪ ଏକର ଅଞ୍ଚଳରେ ବ୍ୟାପିଛି ଏହି ବଗିଚା । ଯେଉଁଠି ପ୍ରାୟ ୭୦୦ରୁ ଊର୍ଦ୍ଧ୍ବ ବିଷାକ୍ତ ଗଛ ରହିଛି। ଏହା ଭିତରକୁ ଗଲେ ଆପଣଙ୍କ ସହିତ ଥିବା ଗାଇଡ ଏହି ବିଷ ଗଛର ଗୁଣ ବିଷୟରେ ଜଣାଇବେ। ଏହି ବିଷାକ୍ତ ଗଛର ଦୁର୍ବ୍ୟହାର ପୂର୍ବ କାଳରେ ଶତ୍ରୁଙ୍କୁ ହରାଇବା ପାଇଁ କରାଯାଉଥିଲା । ଆପଣ କିଛି ହଲିଉଡ ଫିଲ୍ମରେ ମଧ୍ୟ ଏହାର କିଛି ଝଲକ ଦେଖିଥିବେ । ଏହି ଗଛ ଗୁଡିକ ଦେଖିବାକୁ ଯେତେ ଲୋଭନୀୟ ସେତେ ମାରାତ୍ମକ ।