ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ବିବାଦରେ ଏୟାର ଓଡିଶା । ଖୁବ ଶୀଘ୍ର ସଂସ୍ଥାରେ ଝୁଲିପାରେ ତାଲା । ଏୟାର ଓଡିଶାକୁ ବନ୍ଦ କରିବା ଲାଗି ଏକ ପିଟିସନ ଦାଖଲ କରିଛି ଖିମଜି । ଏଥରକ ଆଉ ଓଡିଶା ନୁହେଁ ପିଟିସନ ଦାଖଲ ହୋଇଛି କୋଲକତାର ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲରେ । ଯାହାର ଏକ୍ସକ୍ଲ୍ୟୁସିଭ ପ୍ରମାଣ ଲାଗିଛି ଏଟିଆର ନ୍ୟୁଜ ହାତରେ । କେବଳ ଏତିକି ନୁହେଁ ମାମଲା ସମ୍ପର୍କରେ ଜାଣିବା ପରେ ଏୟାରଓଡିଶା ସଂସ୍ଥା ବି ଆଜି ଏକ ରିଜୋଲ୍ୟୁସେନ ପାସ କରିଛି । ଯେଉଁଥିରେ ସଂସ୍ଥାର ଡାଇରେକ୍ଟର ଆଶୁତୋଷ ପାଣିକୁ ମାମଲା ପରିଚାଳନା କରିବାକୁ ଦାୟିତ୍ୱ ଦିଆଯାଇଛି ।
ରିପୋର୍ଟ ଅନୁସାରେ, ୨୦୧୧ରେ ପ୍ରଥମ କରି ଏୟାର ଓଡିଶା ଆରମ୍ଭ କରିଥିଲା ଓଡିଶା ଭିତରେ ବିମାନ ସେବା । ଯାହାକୁ ବେଶ ପସନ୍ଦ କରିଥିଲେ ଲୋକେ । ହେଲେ ଦିନ କେଇଟା ବିତିନି ଆରମ୍ଭ ହୋଇଥିଲା ବିବାଦ । ଏୟାରଓଡିଶା ସଂସ୍ଥା ନାଁରେ ଉଠିଥିଲା ଠକେଇ ଭଳି ସଗିଂନ ଅଭିଯୋଗ । ସେୟାର ହୋଲ୍ଡର ନାଁରେ ଏହି ଠକେଇ ହୋଇଥିଲା । ପ୍ରଥମେ ଖିମଜି ଓ ପରେ ବିଧାୟକ ଦିଲ୍ଲୀପ ରାୟଙ୍କ ପୁଅ ସନ୍ଦୀପ ଏଭଳି ସଂଗିନ ଅଭିଯୋଗ ଆଣିଥିଲେ ଏୟାର ଓଡିଶା ନାଁରେ । ୨୦୧୬ରେ ଖିମଜି ପ୍ରଥମ କରି ଦେଢ଼କୋଟି ଟଙ୍କା ଠକେଇ ଅଭିଯୋଗ ଆଣିବା ପରେ ଖଣ୍ଡଗିରି ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା ।
ଏହାପରେ ବିଧାୟକଙ୍କ ପୁଅ ସନ୍ଦୀପ ରାୟ ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିବା ପରେ ପୁନର୍ବାର ସନ୍ତୋଷଙ୍କୁ ଗିରଫ କରିଥିଲା ପୁଲିସ । ବାରମ୍ବାର ଏଭଳି ଅଭିଯୋଗ ପରେ ରାଜ୍ୟ ସରକାର ଏୟାର ଓଡିଶା ଉଡାଣ ସେବାକୁ ବନ୍ଦ କରିଦେଇଥିଲେ । ତେବେ କିଛିଦିନ ହେବ ସବୁ ବାଦବିବାଦ ପରେ ପୁଣି ଥରେ ଏୟାର ଓଡିଶା ଉଡାଣ ଆରମ୍ଭ କରିଥିବା ବେଳେ ଏବେ ଖିମଜି ପକ୍ଷରୁ କମ୍ପାନୀରେ ତାଲା ଝୁଲାଇବାକୁ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏୟାରଓଡିଶା ସଂସ୍ଥା ୮ଲକ୍ଷ ସେୟାର ବିକ୍ରି କରିଥିବା ଅଭିଯୋଗ ଉଠାଇଛି ଖିମଜୀ ।
ତେବେ ମାମଲା କୋର୍ଟରେ ବିଚରାଧିନ ଥିବା ବେଳେ ଆଗକୁ କେଉଁ ଆଡକୁ ଗତି କରୁଛି ତାକୁ ହିଁ ଅପେକ୍ଷା । ତେବେ ଏନେଇ ଆମେ ପୂର୍ବତନ ମ୍ୟାନେଜିଂ ଡାଇରେକ୍ଟର ସନ୍ତୋଷ ପାଣୀକୁ ଯୋଗାଯୋଗ କରିଥିବା ବେଳେ ସେ ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଥିଲେ । ସୂଚନାଯୋଗ୍ୟ, ଏୟାରଓଡିଶା କ୍ରାଫ୍ଟ କିଣାରେ ମଧ୍ୟ ୨କୋଟି ୫୦ଲକ୍ଷ ଟଙ୍କା ବକେୟା ରହିଥିବା ଆଇଟିସିଏଲ କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ଷ୍ଟିଭେନ ନିକ୍ସନ ୨୦୧୬ରେ ରାଜ୍ୟ ସରକାରଙ୍କ ପାଖରେ ଅଭିଯୋଗ କରିଥିଲେ ।