ଝାରସୁଗୁଡା (ଏଟିଆର ବ୍ୟୁରୋ); ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଝାରସୁଗୁଡା ଗସ୍ତ ଥିଲା । ମନୋହରପାଲିରେ ତୃତୀୟ ଏବଂ ଚତୁର୍ଥ ୟୁନିଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଯାଉଥିବା ପୋଲିସ ଭ୍ୟାନଟି ଦୁର୍ଘଟଣାର ଶିକାର ହୋଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହାତ ହୋଇଛନ୍ତି । ଆହାତମାନଙ୍କୁ ଟିଆର୍ଏଲ୍ ହସ୍ପିଟାଲ୍ ଓ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଛି । ଏହି ଘଟଣା ପ୍ରଚାର ହେବା ପରେ ଶୋକର ଛାୟା ଖେଳି ଯାଇଛି ।
ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସୁରକ୍ଷା ଦେବା ପାଇଁ ପୋଲିସ କର୍ମୀ ଏବଂ ଓଏସଏପି ୨ୟ ବାଟାଲିୟଲ କର୍ମୀ ଏକ ଭ୍ୟାନରେ ଯାଉଥିଲେ । ସକାଳ ପ୍ରାୟ ୬ଟା ୩୦ ମିନିଟରେ ୪୯ ନମ୍ବର ଜାତୀୟ ରାଜପଥ ବେଲପାହାଡ ଓଭରବ୍ରିଜ ନିକଟରେ ହଠାତ ଏକ ଟ୍ରକ ଭ୍ୟାନକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା କି ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ଆହାତ ହୋଇଛନ୍ତି । ପ୍ରଥମେ ସ୍ଥାନୀୟ ଲୋକ ଏମାନଙ୍କୁ ଉଦ୍ଧାର କରିଥିଲେ ଏବଂ ପରେ ଦମକଳ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଆହାତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ମଧ୍ୟ କେତେକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି ।